ବଢ଼ିଲା ୩୨୨ ନର୍ସିଂ ଅଫିସର ପଦ, ନିଯୁକ୍ତି ବିଜ୍ଞପ୍ତିକୁ ଅପେକ୍ଷା

41

କଟକ: ଦୀର୍ଘ ବର୍ଷ ହେବ ଶିଶୁଭବନରେ ନର୍ସିଂ ଅଫିସର ଅଭାବକୁ ନେଇ ଯେଉଁ ସମସ୍ୟା ଲାଗି ରହିଥିଲା ତାହା ଦୂର ହେବ । ୩୨୨ ନୂତନ ନର୍ସିଂ ଅଫିସର ପଦ ସୃଷ୍ଟି ନେଇ ଶିଶୁଭବନ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଦୀର୍ଘ ବର୍ଷ ହେଲା ରହିଥିବା ମଞ୍ଜୁରିପ୍ରାପ୍ତ ୨୩୪ ନର୍ସିଂ ପଦବି ବଢ଼ି ଏବେ ୫୫୬ ହେବ ବୋଲି ସୂଚନା ମିଳିଛି । ପଦ ବୃଦ୍ଧି ପାଇଥିବାରୁ ନିଯୁକ୍ତି ଲାଗି ସ୍ୱାସ୍ଥ୍ୟ ବିଭାଗ ଆଗକୁ ବିଜ୍ଞପ୍ତି ପ୍ରକାଶ କରିପାରେ ବୋଲି ଶିଶୁ ଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର କହିଛନ୍ତି । ଶିଶୁଭବନରେ ବେଡ୍ ସଂଖ୍ୟା ଦୁଇ ଶହରୁ ୮୪୬ କୁ ବୃଦ୍ଧି ପାଇଲା ପରେ ଜେନେରାଲ୍ ବେଡ୍ ସହ ଆଇସିୟୁ ବେଡ୍ ସଂଖ୍ୟା ବଢ଼ିଛି । ମାତ୍ର ନର୍ସିଂ ଅଫିସର ଅଭାବ ଯୋଗୁଁ ରୋଗୀ ସେବା ବ୍ୟାହତ ହେଉଛି । ନର୍ସିଂ ଅଫିସରଙ୍କ ମଞ୍ଜୁରିପ୍ରାପ୍ତ ପଦ ୨୩୪ ରହିଥିଲେ ହେଁ ବାସ୍ତବରେ ଏବେ ପ୍ରାୟ ୧୯୦ ଜଣ କାର୍ଯ୍ୟରତ ଅଛନ୍ତି । ଏକ ହଜାର ରୋଗୀଙ୍କ ପାଇଁ ସିଫ୍ଟ ଅନୁସାରେ ନର୍ସିଂ କର୍ମଚାରୀଙ୍କୁ ନିୟୋଜିତ କରାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ମାନବ ସମ୍ବଳ ଅଭାବ ଲାଗି ରହୁଛି । ନର୍ସିଂ ଅଫିସର ଅଭାବ ଯୋଗୁଁ ନୂଆ କୋଠାରେ ଆଇସିୟୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ଆଇସିୟୁରେ ଗୁରୁତର ନବଜାତକ ଓ ଶିଶୁ ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ପ୍ରଦାନ କରିବାରେ ଅବହେଳା ହେଉଛି ।

Comments are closed, but trackbacks and pingbacks are open.