ରାଜଧାନୀରୁ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

73

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାକିସ୍ତାନ ସହ ସମ୍ପର୍କ ଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ ବ୍ରାଞ୍ଚ ୟୁନିଟ୍‌-୬ ଅଞ୍ଚଳରେ ଚଢ଼ାଉ କରି ଏହି ଯୁବକଙ୍କୁ କାବୁ କରିଛି। ଗିରଫ ପରେ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ଏସଡିଜେଏମ (SDJM) କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯାଇଛି। ଏହି ଘଟଣା ପରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସୂଚନା ଅନୁଯାୟୀ, ଗିରଫ ଯୁବକ ଜଣକ ଗତ କିଛି ମାସ ହେବ ୟୁନିଟ୍‌-୬ ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ। ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଶଦ୍ରୋହମୂଳକ ସ୍ଲୋଗାନ ଓ ପୋଷ୍ଟ ସେୟାର କରୁଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ଏହି କାର୍ଯ୍ୟ ପାଇଁ ତାଙ୍କ ପାଖକୁ ବିଭିନ୍ନ ସନ୍ଦିଗ୍ଧ ଉତ୍ସରୁ ବହୁ ପରିମାଣର ଅର୍ଥ ଆସୁଥିବା ମଧ୍ୟ ଜଣାପଡ଼ିଛି। ଏହି ଯୁବକଙ୍କ ନେଟୱାର୍କ କେତେ ଦୂର ବ୍ୟାପିଛି ଏବଂ ସେ କେଉଁ ବଡ଼ ଧରଣର ଯୋଜନାରେ ସାମିଲ ଥିଲେ, ସେ ନେଇ ଦିଲ୍ଲୀ ପୋଲିସ ଖୋଳତାଡ଼ କରୁଛି। ଦେଶଦ୍ରୋହ ଭଳି ଗୁରୁତର ମାମଲାରେ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଦିଲ୍ଲୀ ନିଆଯାଇଛି। ଏହି ଗିରଫଦାରୀ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.