ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି : ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

143

ନୂଆଦିଲ୍ଲୀ: ଗୁଜରାଟରେ ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ ଲୋଡିଛନ୍ତି । ଗୁଜରାଟ ବିଶେଷତଃ ସୁରଟରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଭାଷୀ ଜନସମୁଦାୟ ବସବାସ କରୁଛନ୍ତି, ଯେଉଁମାନେ ରାଜ୍ୟର ଶିଳ୍ପ ଏବଂ ସାମାଜିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି । ଓଡ଼ିଆ ଭାଷା ଏବଂ ସଂସ୍କୃତି ପ୍ରତି ସେମାନଙ୍କର ଆଗ୍ରହ ଏବଂ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଗୁଜରାଟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡ଼ିଆ ଭାଷାର ଶିକ୍ଷଣ-ପ୍ରଶିକ୍ଷଣ ବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି କରାଗଲେ ତାହା ସ୍ୱାଗତଯୋଗ୍ୟ ହେବ ବୋଲି ସେ କହିଛନ୍ତି ।
ଗୁଜରାଟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବା, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାକୁ ଏକ ବିକଳ୍ପ ବିଷୟ ଭାବରେ ଆରମ୍ଭ କରିବା ସହ ଓଡ଼ିଆ ଭାଷା ବିଭାଗ ପ୍ରତିଷ୍ଠା କରିବା, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନସିଇଆରଟି ଆଧାରିତ ପାଠ୍ୟକ୍ରମ ପ୍ରଚଳନ କରିବା, ଓଡ଼ିଆ ଭାଷା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଟିଏଟି) ଆରମ୍ଭ କରିବାକୁ ଦେଲେ ପ୍ରସ୍ତାବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ୨୦୨୦ମାତୃଭାଷାରେ ପ୍ରାଥମିକ ଶିକ୍ଷା, ଭାରତୀୟ ଭାଷା ଗୁଡ଼ିକର ପ୍ରୋତ୍ସାହନ ଏବଂ ବହୁଭାଷୀ ଶିକ୍ଷାକୁ ସୁଲଭ ତଥା ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି । ଏହିକ୍ରମରେ ଗୁଜରାଟରେ ଓଡ଼ିଆ ଭାଷା ପାଇଁ ଆବଶ୍ୟକୀୟ ସଂସ୍ଥାଗତ ସୁଦୃଢ଼ିକରଣ ପ୍ରାସଙ୍ଗିକତା ରଖୁଛି । ‘ସୁରଟ ଓଡ଼ିଆ ସମାଜ’ ପକ୍ଷରୁ ମିଳିଥିବା ଆବେଦନ ପତ୍ରକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ସଂଲଗ୍ନ କରିଛନ୍ତି । ଗୁଜରାଟ ସରକାର ଏହି ବିଷୟଗୁଡ଼ିକ ଉପରେ ସହାନୁଭୂତିର ସହ ବିଚାର କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.