କଂଗ୍ରେସ କମିଟିରୁ ବାଦ୍ ପଡିଲେ ସୁର, ମୋକିମ୍

25

ଆଜି ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିକୁ ମଧ୍ୟ ଅନୁମୋଦନ ଦେଇଛି ଏଆଇସିସି । ଦଳର ବରିଷ୍ଠ ନେତାଙ୍କୁ ନେଇ ଗଠନ କରାଯାଇଛି ଏହି ରାଜନୈତିକ ବ୍ୟାପାର କମିଟି । ଏଥିରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ରହିଛନ୍ତି ୨୭ ଜଣ ନେତା । ଦଳର ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି । ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି । ସେହିପରି ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ବଡ ଦାୟିତ୍ୱ ମିଳିଛି ।

କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହୋଇଛନ୍ତି ବିଜୟ । ୨୦୨୪କୁ ଗୁରୁତ୍ୱ ଦେଇ ଦଳ ଆଗକୁ ବଢୁଥିବା ବେଳେ ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ କମିଟିରୁ ବାଦ ପଡିଛନ୍ତି । ଖାଲି ସୁର ନୁହଁନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍‌-ଙ୍କୁ ମଧ୍ୟ ଏହି କମିଟିରୁ ବାଦ ଦିଆଯାଇଛି । ତେବେ ପଦ୍ମପୁର ଉପନିର୍ବାଚନ ପ୍ରସଙ୍ଗରେ ଉଭୟ ଗଣମାଧ୍ୟମରେ ବିବାଦୀୟ ବୟାନ ଦେଇଥିଲେ । ସେତେବେଳେ ତାଙ୍କୁ ଦଳୀୟ ଶୃଙ୍ଖଳା ଓ ଅନୁସାଶନ ଭଙ୍ଗ ଅଭିଯୋଗରେ କାରଣ ଦର୍ଶାଅ ନୋଟାସି ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ପଦ୍ମପୁରରେ ଦଳର ଶୋଚନୀୟ ପରାଜୟ ପରେ ୨୦୧୯ରେ କଂଗ୍ରେସ ପାଇଥିବା ଭୋଟ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ଭୋଟ ବିକ୍ରି ହୋଇଥିବା ଅଭିଯୋଗ କରିଥିଲେ । ଏଥିପାଇଁ ଦଳର ଶୀର୍ଷ ନେତାଙ୍କୁ ଦାୟୀ କରିଥିଲେ ଏହି ଦୁଇ ବିଧାୟକ ।

ତେବେ ଘଟଣା ପାଇଁ ବୋଧହୁଏ ସୁର ଏବଂ ମୋକିମ୍‌ଙ୍କୁ କମିଟିରୁ ବାଦ ଦିଆଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ମୁଣ୍ଡ ଉପରେ ଝାରସୁଗୁଡା ଉପନିର୍ବାଚନ ଥିବାରୁ ଦଳ ଉପରେ ଏହା ଭାରି ପଡିଯିବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

Comments are closed, but trackbacks and pingbacks are open.