ମନ୍ମଥଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତି କରୁଛନ୍ତି ସୁର

29


ମୁଁ ନୁହେଁ ଏଥର ପୁଅ । ବୟସ ହୋଇଗଲାଣି ମୋତେ ୮୦ ଛୁଇଁଲାଣି, ଆର ଥରକୁ ମୁଁ ନୁହେଁ, ମୋ ପୁଅ ଜଟଣୀରୁ ଲଢ଼ିବ ବୋଲି ସୁର ସ୍ପଷ୍ଟ ଘୋଷଣା କରିବା ପରେ ଜଟଣୀ ଆସନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସୈାମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ପୃଥ୍ୱୀରାଜ ହରିଚନ୍ଦନ, ପୁଅ କ୍ୟାପ୍‌ଟେନ ମନ୍ମଥ ରାଉତରାୟ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ମଂଚାସୀନ ଅତିଙ୍କ ଉପସ୍ଥିତିରେ ଶ୍ରୀ ରାଉତରାୟ ପୁଅ ଲଢ଼ିବା କଥା କହିଥିଲେ । ତେବେ ସେ କେଉଁ ଦଳରୁ ଲଢ଼ିବେ ସେ ନେଇ କୌଣସି ସୂଚନା ରଖିନଥିଲେ ।

ବାପା ଆଜୀବନ କଂଗ୍ରେସରେ ରହି ରାଜନୀତି କରୁଥିବା ଦୃଷ୍ଟିରୁ ପୁଅ ସ୍ୱାଭାବିକ ଭାବେ ସେହି ଦଳରୁ ବିଧାୟକ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ଜଣାପଡ଼ୁଛି । ହେଲେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ଏବେଠାରୁ କହିବା ସହଜ ନୁହେଁ ବୋଲି ମଧ୍ୟ ତଥ୍ୟାଭିଜ୍ଞ ମହଲ ମତ ଦେଉଛନ୍ତି । କିଛି ଦିନ ପୂର୍ବରୁ ପୁଅ ମନ୍ମଥ ଏଥର ଜଟଣୀରୁ ନିର୍ବାଚନ ଲଢ଼ିବ ବୋଲି ନିଜେ ଶ୍ରୀ ରାଉତରାୟ ଗଣମାଧ୍ୟମରେ ଘୋଷଣା କରିଥିଲେ । ତେବେ ଏହି ଘୋଷଣାର କିଛି ସମୟ ପରେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ମଧ୍ୟ ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଥିଲେ । ଗଣମାଧ୍ୟମରେ ମଧ୍ୟ ଖୋଲାଖୋଲି କହିଥିଲେ ।

କିନ୍ତୁ କେଉଁ ଦଳରୁ ଓ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ସେ ଆଗ୍ରହୀ, ସେକଥା ସିଦ୍ଧାର୍ଥ ସ୍ପଷ୍ଟ କରି ନଥିଲେ । ଏହି ଘଟଣାକୁ ନେଇ ସୁରଙ୍କ ପାରିବାରିକ ରାଜନୀତି ଚର୍ଚ୍ଚାରେ ରହିଛି । ଗତକାଲି ମଞ୍ଚରେ ପୁଣି ସାନ ପୁଅ ମନ୍ମଥଙ୍କ ନାମ ସୁର କହିଲା ପରେ ସେ ହିଁ ଜଟଣୀରେ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ସ୍ପଷ୍ଟ ହୋଇଛି ।

Comments are closed, but trackbacks and pingbacks are open.