ଅମରାବତୀକୁ ଆନ୍ଧ୍ର ରାଜଧାନୀ ଘୋଷଣା ପ୍ରସଙ୍ଗ, ହାଇକୋର୍ଟ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

18

ନୂଆଦିଲ୍ଲୀ: ଅମରାବତୀ ସହରକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଘୋଷଣା କରିବାକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଆନ୍ଧ୍ରରେ କ୍ଷମତାସୀନ ଜଗନ ମୋହନ ରେଡ୍ଡିଙ୍କ (ୱାଇଏସଆର କଂଗ୍ରେସ) ସରକାର ରାଜ୍ୟରେ ତିନିଟି ରାଜଧାନୀ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ । ଏହାର ପ୍ରତିବାଦରେ ହାଇକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ହାଇକୋର୍ଟ ଏହାର ଶୁଣାଣି କରି ତିନିଟି ରାଜଧାନୀ ପ୍ରସ୍ତାବକୁ ଖାରଜ କରିବା ସହ ୬ ମାସ ମଧ୍ୟରେ କେବଳ ଅମରାବତୀକୁ ରାଜଧାନୀ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୋମବାର ଜଷ୍ଟିସ କେ.ଏମ.ଜୋଶେଫ ଓ ଜଷ୍ଟିସ ବି.ଭି.ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ରାଜଧାନୀ ମନୋନୟନ ପ୍ରକ୍ରିୟାରେ ହାଇକୋର୍ଟ ଟାଉନ ପ୍ଲାନର ଭୂମିକା ତୁଲାଇ ପାରିବେନି ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଏଥିସହିତ ଅମରାବତୀ ସହରରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାର ଏବଂ ଅମରାବତୀ ମେଟ୍ରୋପଲିଟାନ ରିଜିଅନ୍ ଡେଭ୍‌ଲପ୍‌ମେଣ୍ଟ ଅଥରିଟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ରାଜଧାନୀ ପ୍ରତିଷ୍ଠା ପାଇଁ ଯେଉଁମାନେ ଜମି ପ୍ରଦାନ କରିଛନ୍ତି, ସେମାନଙ୍କୁ ୩ ମାସ ମଧ୍ୟରେ ଜମି ଫେରାଇଦେବାକୁ ମଧ୍ୟ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୩୧କୁ ଧାର୍ଯ୍ୟ କରାଯାଇଛି ।

Comments are closed, but trackbacks and pingbacks are open.