ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

25

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଜେଲ୍‌ରେ ଆଜୀବନ ସଜ୍ଜା କାଟୁଥିବା ନଳିନୀ ସମେତ ୬ ଦୋଷୀଙ୍କ ମୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ସୁପ୍ରିମ୍‌କୋର୍ଟ କହିଛନ୍ତି, ତାମିଲନାଡ଼ୁ ରାଜ୍ୟପାଳ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଆମକୁ ଏହି ପଦକ୍ଷେପ ନେବାକୁ ପଡ଼ିଛି । ସମୟ ପୂର୍ବରୁ ମୁକ୍ତି ପାଇଁ ଦୋଷୀ ନଳିନୀ ଏବଂ ଆର୍‌ପି ରବିଚନ୍ଦ୍ରନ୍‌ଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ୍ ବିଆର୍ ଗଭଇ ଏବଂ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଏଜି ପେରାରିଭଲନ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପୂର୍ବରୁ ଖଲାସ କରିଦେଇଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ପ୍ରଦତ୍ତ କ୍ଷମତାର ବ୍ୟବହାର କରି ସୁପ୍ରିମ୍‌କୋର୍ଟ ମେ ୧୮ ତାରିଖରେ ୩୦ ବର୍ଷରୁ ଅଧିକ ସଜ୍ଜା କାଟିସାରିଥିବା ପେରାରିଭଲନ୍‌ଙ୍କ ମୁକ୍ତି ପାଇଁ ଆଦେଶ ଦେଇଥିଲେ । ତେଣୁ ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ଏହି ଦୁହିଁଙ୍କ ମାମଲାରେ ଲାଗୁ ହେଉଛି ।
ଅନ୍ୟପକ୍ଷରେ ଶୁଣାଣି ବେଳେ ତାମିଲନାଡ଼ୁ ସରକାର ସୁପ୍ରିମ୍‌କୋର୍ଟରେ ଆଫିଡେଭିଟ୍ ଦାଖଲ କରି ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁକ୍ତ କରାଯିବାକୁ ସମର୍ଥନ କରିଥିଲେ । ନଳିନୀ ଏବଂ ଆର୍‌ପି ରବିଚନ୍ଦ୍ରନ୍ ମାଡ୍ରାସ୍ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍ କରିଥିଲେ । ମାଡ୍ରାସ୍ ହାଇକୋର୍ଟ ଜୁନ୍ ୧୭ ତାରିଖରେ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଏଜି ପେରାଲିଭଲନ୍‌ଙ୍କ ମୁକ୍ତି ଆଦେଶକୁ ଭିତ୍ତିକରି ନଳିନୀ ଓ ରବିଚନ୍ଦ୍ରନ୍ ଆବେଦନରେ ସେମାନଙ୍କର ମୁକ୍ତି ଦାବି କରିଥିଲେ । ଯେଉଁ ଛଅଜଣ ଦୋଷୀଙ୍କ ମୁକ୍ତି ପାଇଁ କୋର୍ଟ ଆଦେଶ ଦେଇଛନ୍ତି, ସେମାନେ ହେଲେ ନଳିନୀ, ରବିଚନ୍ଦ୍ରନ୍‌, ମୁରୁଗନ୍‌, ସନ୍ଥନ୍‌, ଜୟକୁମାର ଏବଂ ରବର୍ଟ ପାୟସ୍ ସାମିଲ । ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତିରେ କହିଥିଲେ, ଜେଲ୍‌ରେ ଦୋଷୀମାନଙ୍କ ଆଚରଣ ମଧ୍ୟ ଧ୍ୟାନରେ ରଖାଯାଇଛି । ସେମାନେ ଜେଲ୍‌ରେ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କାଟିସାରିଛନ୍ତି । ଏହା ଅବସରରେ ଜେଲ୍‌ରେ ସେମାନଙ୍କ ଆଚରଣ ଉତ୍ତମ ଥିବା ବେଳେ ସେମାନେ ବିଭିନ୍ନ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଏହା ସହିତ ସେମାନେ ବିଭିନ୍ନ କାର୍ଯ୍ୟରେ ମଧ୍ୟ ନିୟୋଜିତ ଥିଲେ । କୋର୍ଟ କହିଥିଲେ, ରାଜ୍ୟ ମନ୍ତ୍ରିମଣ୍ଡଳର ନିର୍ଣ୍ଣୟ ରାଜ୍ୟପାଳ ମାନିବାକୁ ବାଧ୍ୟ । ମାତ୍ର ରାଜ୍ୟପାଳ ଚାରିବର୍ଷ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏହି କାରଣରୁ ସୁପ୍ରିମ୍‌କୋର୍ଟ ସମସ୍ତଙ୍କୁ ମୁକ୍ତ କରିଦେଇଛନ୍ତି । ସୂଚନାଯୋଗ୍ୟ, ତାମିଲନାଡ଼ୁ କ୍ୟାବିନେଟ୍ ୨୦୧୮ ସେପ୍ଟେମ୍ବର ୯ରେ ଦୋଷୀମାନଙ୍କ ମୁକ୍ତି ପାଇଁ ସୁପାରିସ କରିଥିଲା ।
୧୯୯୧ ମେ ୨୧ ତାରିଖରେ ତାମିଲନାଡ଼ୁର ଶ୍ରୀପେରମ୍ବୁଦୁରରେ ଏକ ନିର୍ବାଚନୀ ସଭାରେ ଏଲ୍‌ଟିଟିଇ ଆତ୍ମଘାତୀ ଆକ୍ରମଣକାରୀ ଧନୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲା । ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଭିଯୋଗରେ ନଳିନୀଙ୍କ ସମେତ ୨୬ ଜଣ ଦୋଷୀଙ୍କୁ ଏକ ଟ୍ରାଏଲ୍ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ । ୧୯୯୯ ମେ ମାସରେ ସୁପ୍ରିମ୍‌କୋର୍ଟ ୧୯ ଲୋକଙ୍କୁ ଦୋଷମୁକ୍ତ କରିଥିଲେ । ବାକି ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନଳିନୀ, ମୁରୁଗନ୍ ଓରଫ୍ ଶ୍ରୀହରନ୍‌, ସନ୍ଥନ୍ ଏବଂ ପେରାଲିଭଲନ୍‌ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ଅନ୍ୟ ୩ଜଣ ରବିଚନ୍ଦ୍ରନ୍‌, ରବର୍ଟ ପାୟସ୍ ଏବଂ ଜୟକୁମାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଏହା ମଧ୍ୟରୁ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ତାମିଲନାଡ଼ୁ ରାଜ୍ୟପାଳ ଆଜୀବନ ସଜ୍ଜାରେ ପରିବର୍ତ୍ତନ କରିଥିଲେ । ବାକି ଅଭିଯୁକ୍ତଙ୍କ କ୍ଷମା ଆବେଦନକୁ ୨୦୧୧ରେ ରାଷ୍ଟ୍ରପତି ଅଗ୍ରାହ୍ୟ କରିଦେଇଥିଲେ ।
ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତିକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ନିଯୁକ୍ତି ପାଇଥିବା ରାଜ୍ୟପାଳଙ୍କୁ ନିର୍ବାଚିତ ସରକାରଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ଉଚିତ ନୁହେଁ ।
ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ‘ବହୁ ଦୁର୍ଭାଗ୍ୟପୂର୍ଣ୍ଣ’ ବୋଲି କହିଛି । କଂଗ୍ରେସ ପକ୍ଷରୁ ଏକ ବୟାନ ଜାରିକରି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ‘ସୁପ୍ରିମ୍‌କୋର୍ଟଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜବୀ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି ଅସ୍ୱୀକାର୍ଯ୍ୟ, ସମ୍ପୂର୍ଣ୍ଣ ଭାବେ ଭୁଲ । ସର୍ବୋଚ୍ଚ ଅଦାଲତ ଦେଶର ଭାବନା ଅନୁରୂପ କାର୍ଯ୍ୟ କରିନାହାନ୍ତି । କଂଗ୍ରେସ ପାର୍ଟି ଏହାର ସ୍ପଷ୍ଟ ଭାବେ ସମାଲୋଚନା କରୁଛି ଏବଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଅକ୍ଷମଣୀୟ ମାନୁଛି ।’
ସୁପ୍ରିମ୍‌କୋର୍ଟଙ୍କ ଆଦେଶରେ ଜେଲ୍‌ରୁ ବାହାରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ ନଳିନୀ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ‘ମୁଁ ଜାଣିଛି, ମୁଁ ଆତଙ୍କବାଦୀ ନୁହେଁ ।’ ମୁଁ ଏତେ ବର୍ଷ ଧରି ଜେଲ୍‌ରେ କାଟିଛି । ଗତ ୩୨ ଘଣ୍ଟା ମୋ ପାଇଁ ସଂଘର୍ଷପୂର୍ଣ୍ଣ ଥିଲା । ଯେଉଁମାନେ ମୋତେ ସମର୍ଥନ କରିଆସିଛନ୍ତି, ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ରାଜ୍ୟର ସମସ୍ତ ଲୋକ ଏବଂ ଓକିଲଙ୍କ ଧନ୍ୟବାଦ ଜଣାଉଛି ।’

Comments are closed, but trackbacks and pingbacks are open.