ସୁପ୍ରିମକୋର୍ଟରେ ଉଦ୍ଧବ ଠାକ୍‌ରେଙ୍କୁ ଧକ୍କା, ଇସି ସ୍ଥିର କରିବ ଅସଲ ଶିବସେନା

192

ନୂଆଦିଲ୍ଲୀ: ଶିବସେନା ବିବାଦରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ମଙ୍ଗଳବାର ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି ମିଳିଛି । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ବେଞ୍ଚ୍ ପାର୍ଟି ଉପରେ ସିନ୍ଦେ ଗୋଷ୍ଠୀର ଦାବି ଉପରେ ନିର୍ବାଚନ କମିଶନ୍ (ଇସି)ର କାର୍ଯ୍ୟାନୁଷ୍ଠାନ ଉପରୁ ରୋକ୍ ହଟାଇ ଦେଇଛନ୍ତି । ଜଷ୍ଟିସ୍ ଚନ୍ଦଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ଏମ୍‌ଆର୍ ଶାହ, ଜଷ୍ଟିସ୍ ହିମା କୋହଲି, ଜଷ୍ଟିସ୍ କୃଷ୍ଣ ମୁରାରୀ ଏବଂ ଜଷ୍ଟିସ୍ ପିଏସ୍ ନରସିମ୍‌ହାଙ୍କୁ ନେଇ ଗଠିତ ସାମ୍ବିଧାନିକ ବେଞ୍ଚ୍ ଏହି ରାୟ ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ଏବେ ଇସି ଶିବସେନାର ନିର୍ବାଚନ ଚିହ୍ନ ଧନୁ ଓ ତୀର ଉପରେ ନିଷ୍ପତ୍ତି ନେଇପାରିବେ । ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗୋଷ୍ଠୀ ପାଇଁ ଶକ୍ତ ଧକ୍କା ସଦୃଶ । କାରଣ ବିଧାୟକଙ୍କ ଯୋଗ୍ୟତା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏହି ମାମଲାରେ ଇସି କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ଉଦ୍ଧବ ଠାକ୍‌ରେ ଦାବି କରିଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ୍ ସେପ୍ଟେମ୍ବର ୭ ତାରିଖରେ ମାମଲାର ଶୁଣାଣି କରିଥିଲେ ।
ଶିବସେନାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପାର୍ଟି ଉପରେ ନିଜର ଦାବି ଉପସ୍ଥାପନ କରିଥିଲେ । ତାଙ୍କ ଗୋଷ୍ଠୀକୁ ଅସଲ ଶିବସେନା ଭାବେ ମାନ୍ୟତା ପ୍ରଦାନ ସହ ପାର୍ଟିର ଚିହ୍ନ ଧନୁ ଓ ତୀର ଆବଣ୍ଟିତ କରାଯିବାକୁ ସିନ୍ଦେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ । ତାଙ୍କ ନିକଟରେ ପାର୍ଟିର ଅଧିକାଂଶ ସାଂସଦ ଓ ବିଧାୟକଙ୍କ ସମର୍ଥନ ଥିବାରୁ ସେ ପାର୍ଟିର ନିର୍ବାଚନ ଚିହ୍ନ ତାଙ୍କୁ ମିଳିବା ଉଚିତ ବୋଲି ସିନ୍ଦେ ଗୋଷ୍ଠୀ ଇସିଙ୍କୁ ଅନୁରୋଧ କରିଥିଲେ । ଏହା ବିରୋଧରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଅପିଲ୍ ଦାଏର କରିଥିଲେ ।
ଅନ୍ୟପକ୍ଷରେ ଉଦ୍ଧବ ଗୋଷ୍ଠୀର ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ମାନ କରୁଛୁ ବୋଲି କହିଛନ୍ତି । ଏଥିରେ ଧକ୍କାର କୌଣସି ପ୍ରଶ୍ନ ଉଠୁନାହିଁ । ତେବେ ବିଦ୍ରୋହୀ ଗୋଷ୍ଠୀ ବିଧାୟକ ଅଯୋଗ୍ୟତା ମାମଲା ସୁପ୍ରିମକୋର୍ଟରେ ଜାରି ରହିବ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.