କେନ୍ଦ୍ର ସରକାର ଏବଂ ଇସିଆଇକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

113

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଏବଂ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ବେନାମୀ ଚାନ୍ଦା ବିରୋଧରେ ଦାଏର ପିଟିଶନ ଉପରେ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାଜନୈତିକ ଦଳଙ୍କୁ ୨,୦୦୦ ଟଙ୍କାରୁ କମ୍‌ ପରିମାଣର ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହୁ ନ ଥିବାରୁ ଆୟକର ଆଇନରେ ଥିବା ଏଭଳି ବ୍ୟବସ୍ଥାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସ୍ବଚ୍ଛତା ଅଭାବରୁ ନିର୍ବାଚନୀ ପ୍ରକ୍ରିୟାର ପବିତ୍ରତା ନଷ୍ଟ ହେଉଛି। ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ଉତ୍ସ ସମ୍ପର୍କରେ ଭୋଟରମାନେ ଜାଣିବାରୁ ବଞ୍ଚିତ ହେଉଛନ୍ତି। କିଏ କେଉଁ ଉଦ୍ଦେଶ୍ୟରେ ଚାନ୍ଦା ଦେଉଛନ୍ତି ତାହା ଜଣାପଡ଼ୁନାହିଁ। ଫଳରେ ମତଦାନ ବେଳେ ଭୋଟରମାନେ ତର୍କସଙ୍ଗତ, ବୁଦ୍ଧିମାନ ଭାବେ ନିଷ୍ପତ୍ତି ନେଇପାରୁ ନାହାନ୍ତି ବୋଲି ପିଟିଶନ୍‌ରେ ଦର୍ଶାଯାଇଛି। ରାଜନୈତିକ ଦଳର ପଞ୍ଜୀକରଣ ପାଇଁ ସର୍ତ୍ତାବଳୀ ଉଲ୍ଲେଖ କରିବା ଏବଂ କୌଣସି ଚାନ୍ଦା ଗ୍ରହଣ କରି ନ ଥବା କୌଣସି ଦଳକୁ ରାଜନୈତିକ ଚିହ୍ନ ମଞ୍ଜୁରୀ ପ୍ରଦାନ ଲାଗି ଇସିଆଇଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିଶନ୍‌ରେ ନିବେଦନ କରାଯାଇଛି। ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ସନ୍ଦୀପ୍‌ ମେହେଟ୍ଟା ଉକ୍ତ ପିଟିଶନ୍‌ର ଶୁଣାଣି ୪ ସପ୍ତାହ ପରେ କରିବାକୁ ଧାର୍ଯ୍ୟ କରିଛନ୍ତି l

Comments are closed, but trackbacks and pingbacks are open.