କେରଳର ଅନ୍ଧବିଶ୍ୱାସୀ ଡାକ୍ତର ଦମ୍ପତି: ଧନ ଲୋଭରେ ଦୁଇ ମହିଳାଙ୍କୁ ବଳୀ ଦେଲେ

26

ତ୍ରିରୁଭଲ୍ଲା (କେରଳ): କେରଳର ତ୍ରିରୁଭଲ୍ଲାରେ ଅନ୍ଧବିଶ୍ୱାସର ଶିକାର ଜଣେ ଡାକ୍ତର ଏବଂ ତାଙ୍କ ପତ୍ନୀ ଦୁଇଜଣ ମହିଳାଙ୍କ ଗଳାକାଟି ହତ୍ୟା କରିଛନ୍ତି । ଏହାପରେ ଦୁଇ ଶବକୁ ଟୁକୁଡ଼ା ଟୁକୁଡ଼ା କରି କାଟି ପୋତି ଦେଇଛନ୍ତି । ଏପରି କଲେ ଘରକୁ ଧନ ଏବଂ ବୈଭବ ଆସିବ ବୋଲି ସେମାନଙ୍କର ଧାରଣା ଥିଲା । ଏହି କାମରେ ଜଣେ ଦଲାଲ୍ ମଧ୍ୟ ସେମାନଙ୍କ ସହାୟତା କରିଥିଲା । ଘଟଣା ସେପ୍ଟେମ୍ବର ୨୭ ତାରିଖର ହୋଇଥିବା ବେଳେ ପୁଲିସ ମଙ୍ଗଳବାର ତିନିଜଣଙ୍କୁ ଗିରଫ କରିଛି ।
ତ୍ରିରୁଭଲ୍ଲା ନିବାସୀ ଡାକ୍ତର ଭାଗବତ ସିଂହଙ୍କର ଦୀର୍ଘଦିନ ଧରି ଆର୍ଥିକ ସଙ୍କଟ ରହିଥିଲା । ଏ ନେଇ ତାଙ୍କ ପତ୍ନୀ ଲୈଲା ଫେସ୍‌ବୁକ୍ ଜରିଆରେ ପେରୁମ୍ବଭରର ମହମ୍ମଦ ଶଫି ଓରଫ୍ ରଶିଦ୍ ସହ ସମ୍ପର୍କ କରିଥିଲେ । ରଶିଦ୍ ଏଥିପାଇଁ ଦୁଇଜଣ ମହିଳାଙ୍କୁ ବଳୀ ଦେବାକୁ କହିଥିଲା । ଏହା ସହିତ ବଳୀ ପାଇଁ ଦୁଇଜଣ ମହିଳାଙ୍କ ବ୍ୟବସ୍ଥା କରିଦେବ ବୋଲି ମଧ୍ୟ କହିଥିଲା । ଶିହାବ କଲାଡ଼ି ଏବଂ କଦମ୍ବତରାର ଦୁଇଜଣ ମହିଳାଙ୍କୁ ଅର୍ଥ ଏବଂ ଚାକିରି ଲୋଭ ଦେଖାଇ ତ୍ରିରୁଭଲ୍ଲା ଆଣିଥିଲା । ଏହାପରେ ଶିହାବ ଏବଂ ଡାକ୍ତର ଦମ୍ପତି ଦୁଇ ମହିଳାଙ୍କୁ ପଥନାମଥିଟ୍ଟାର ଏଲନ୍ଥୁର ନେଇ ସେଠାରେ ସେମାଙ୍କ ଗଳାକାଟି ବଳୀ ଦେଇଥିଲେ । ପରେ ସେମାନଙ୍କ ଶବକୁ ଟୁକୁଡ଼ା ଟୁକୁଡ଼ା କରି ସେଠାରେ ପୋତି ଦେଇଥିଲେ ।
କଦମ୍ବତରୀରୁ ଆସିଥିବା ମହିଳାଙ୍କ ପରିଜନ ଥାନାରେ ନିଖୋଜ ମାମଲା ରୁଜୁ କରିବା ପରେ ପୁଲିସ ତାଙ୍କ ମୋବାଇଲ୍ ଫୋନ୍‌ର ଲୋକେସନ୍‌କୁ ଖୋଜି ଖୋଜି ତ୍ରିରୁଭଲ୍ଲାରେ ପହଞ୍ଚିଥିଲା । ସେଠାକାର ସିସିଟିଭି ଫୁଟେଜ୍ ଦେଖିବାକୁ ପରେ ମହିଳାଙ୍କର ଡାକ୍ତରଙ୍କ ସହିତ ସମ୍ପର୍କ ଥିବା ଜଣାପଡ଼ିଥିଲା । ପୁଲିସ ଡାକ୍ତର ଦମ୍ପତ୍ତିକୁ କଷ୍ଟଡିକୁ ନେଇ ଜେରା କରିବାରୁ ସେମାନେ ସବୁ ରାଜ୍ ଖୋଲି ଦେଇଥିଲେ ବୋଲି ପୁଲିସ କମିଶନର ସିଏଚ୍ ନାଗାରାଜୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଘଟଣାରେ ଦୁଃଖପ୍ରକାଶ କରିବା ସହ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହିଁ ଏପରି ଅପରାଧ କରିପାରନ୍ତି ବୋଲି କହିଛନ୍ତି । ଏପରି ଅନ୍ଧବିଶ୍ୱାସ ଏବଂ କଳା ଯାଦୁ ସଭ୍ୟ ସମାଜ ପାଇଁ ବିପଦ ।

Comments are closed, but trackbacks and pingbacks are open.