ପ୍ରଚାର ଶେଷ ଦିନରେ ବିଜେଡିର ସୁପର ଶୋ’

53

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ଶେଷ ହୋଇଛି । ଆସନ୍ତା ୩ ତାରିଖରେ ଭୋଟଦାନ ହେବାକୁ ଥିବାବେଳେ ତିନିଦଳର ପ୍ରାର୍ଥୀଙ୍କ ସମେତ ମଇଦାନରେ ଥିବା ଦୁଇ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଶେଷଥର ପାଇଁ ନିଜ ସପକ୍ଷରେ ପ୍ରଚାର କରିଛନ୍ତି । ତେବେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ପ୍ରଚାର ପରେ ଶାସକ ବିଜେଡି ଶିବିର ଅଧିକ ଉତ୍ସାହିତ ଏବଂ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଆଜି ଏହା କର୍ମୀମହଲରେ ପ୍ରତିଫଳିତ ହୋଇଛି । ଧାମନଗର ବ୍ଲକର ୩୨ ପଞ୍ଚାୟତ ସହ ତିହିଡି ବ୍ଲକର ୧୩ ପଞ୍ଚାୟତ ଏବଂ ଧାମନଗର ଏନଏସିରେ ବିଜେଡି ପକ୍ଷରୁ ଧୂଆଁଧାର ପ୍ରଚାର ହୋଇଛି । ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ମୋଟର ସାଇକେଲ ରାଲିରେ କର୍ମୀମାନେ ନିର୍ବାଚନମଣ୍ଡଳୀ ପରିକ୍ରମା କରିଥିବା ବେଳେ ଦଳର ବରିଷ୍ଠ ନେତା ପ୍ରଚାର ମଙ୍ଗ ଧରିଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ପ୍ରଚାର ପରେ ଧାମନଗରରେ ବୃହତ୍ ବିଜୟ ଲାଭ ନେଇ ବିଜେଡି ଦୃଢ଼ ନିଶ୍ଚିତ ଥିବାବେଳେ ବୁଦ୍ଧିଜୀବୀ ଓ ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ବିଜେଡିର ବିପୁଳ ବିଜୟ ନେଇ ଆଶାବାଦୀ ଅଛନ୍ତି ।
ଆଜି ପ୍ରଚାରର ଶେଷଦିନ ଥିବାବେଳେ ନିର୍ବାଚନମଣ୍ଡଳୀର ୬ଟି ଯାକ ଜୋନ୍‌ରେ ବିଜେଡିର ବରିଷ୍ଠ ନେତାମାନେ ପ୍ରଚାର ମଙ୍ଗ ଧରିଥିଲେ । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ମୁନ୍ନା ଖାନ, ସୁଲତା ଦେଓ, ସାଂସଦ ମଞ୍ଜୁଲତା ମଣ୍ଡଳ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସଞ୍ଜୀବ ମଲ୍ଲିକ, ବ୍ୟୋମକେଶ ରାୟ, ବିଷ୍ଣୁବ୍ରତ ରାଉତରାୟ, ଅଶୋକ ବଳ ପ୍ରମୁଖ ବିଭିନ୍ନ ସ୍ଥାନରେ ପୁରୋଧା ସାଜିଥିଲେ । ସେହିପରି ସିନେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ, କୁନା ତ୍ରିପାଠୀ, ସୋଫିଆ ଆଲାମ, ଏଲିନା ଦାସ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ସହ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ପ୍ରଚାର ଏବଂ ରୋଡ ଶୋରେ ସାମିଲ ଥିଲେ । ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ପୃଥକ ପୃଥକ ସ୍ଥାନରେ ମୋଟର ସାଇକେଲ ରାଲି ବାହାରି ଥିବାବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି ସମର୍ଥକମାନେ ଯୋଗ ଦେଇଥିଲେ । ସମଗ୍ର ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ସହିତ ସାଧାରଣ ଲୋକ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ପରେ ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି । ଧାମନଗର ନିର୍ବାଚନ ମଣ୍ଡଳୀର ଧୂଷୁରୀ ଓ ଅସୁରାଳି ଜୋନରେ ଅବନ୍ତୀ ଦାସଙ୍କ ପାଇଁ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅଶ୍ୱିନୀ ପାତ୍ର ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ଏକ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ବିଜେଡିକୁ ଭୋଟ ଦେଇ ପ୍ରଗତିରେ ସାମିଲ ହେବାକୁ ନିବେଦନ କରିଥିଲେ । ଅସୁରାଳି ଜୋନର ସହିଦ ପୀଠ ସହିଦନଗର ରୁ ଏକ ବିରାଟ ବାଇକ୍‌ ଶୋଭାଯାତ୍ରା ବାହାରି କଟସାହି, ଖପରପଦା ଦେଇ ଅସୁରାଳି, କୋଠାର, ଧୂଷୁରୀ, ପାଳସାହି ଆଦି ପଞ୍ଚାୟତ ଅତିକ୍ରମ କରିଥିଲା । ଏହି ରାଲିରେ ହଜାର ହଜାର ବାଇକ୍‌ ଆରୋହୀ ଯୋଗ ଦେଇଥିଲେ । ସେହିପରି ତିହିଡି ବ୍ଲକର ୬ ଓ ୭ନମ୍ବର ଜୋନ୍‌ର ବିଭିନ୍ନ ପଞ୍ଚାୟତରେ ହାଇଭୋଲଟେଜ ପ୍ରଚାର ଆଜି ଦେଖିବାକୁ ମିଳିଛି । ୬ ନମ୍ବର ଜୋନ୍‌ରେ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ବରିଷ୍ଠ ବିଧାୟକ ଦେବୀ ମିଶ୍ର, ସୋର ବିଧାୟକ ପର୍ଶୁରାମ ଧଡା, ସାଂସଦ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅସିତ ପଟ୍ଟନାୟକ ପ୍ରମୁଖ ପ୍ରଚାର କରିଛନ୍ତି । ଦୋଳସାହି ପଞ୍ଚାୟତରୁ ଗେଟ ବଜାରରୁ ବାହାରି ଅଲିନଗର, ପାଳିଆ, ନୟାନନ୍ଦ, ଗୁଆମାଳ, ତାଳପଦା, ଗଣ୍ଡପଡ଼ା, ନୂଆଶାସନ, ଗାଜିପୂର ପର୍ଯ୍ୟନ୍ତ ବିଜେଡିର ବିଶାଳ ବାଇକ ଶୋଭାଯାତ୍ରା ଓ ରୋଡ ଶୋ’ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ସେହିପରି ୭ ନମ୍ବର ଜୋନରେ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ଜୋରଦାର ହୋଇଛି । କୁବେରା, ବିଲଣା, ବୋଡ଼କ, କାଁପଡ଼ା, ଶ୍ୟାମସୁନ୍ଦରପୁର, ଦେଇ ତଳଗୋପବିନ୍ଧା ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାରେ ସିନେ ଅଭିନେତ୍ରୀ ସୂର୍ଯ୍ୟମୟୀ ସାମନ୍ତ ସିଂହାର, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ ଯୋଗଦେଇ ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମହିଳା ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏହି ବିଶାଳ ମାରାଥନ ପ୍ରଚାରରେ ଜିଲ୍ଲାପରିଷଦ ସଭ୍ୟା ସୁଜାତା ପଣ୍ଡା, ଜିଲ୍ଲା ସମ୍ପାଦକ ପ୍ରଦୀପ ପଣ୍ଡା, ମାନସ ପାଠୀ, ତାଳପଦା ପର୍ଯ୍ୟବେକ୍ଷକ ଦୀପକ ମହାପାତ୍ର,ସରପଞ୍ଚଞ୍ଚ ଜୟଶ୍ରୀ ବେହେରା, ଗଣେଶ ବିଶ୍ୱାଳ, ସମିତି ସଭ୍ୟ ଚିନ୍ତାମଣି ଦାସ, ସାଧ୍ୱନ ନାୟକ,ଦାଶରଥି ମହାପାତ୍ର, ଗୌରୀ ଜେନା, ସରପଞ୍ଚ ଯଶୋଦା ମଲ୍ଲିକ, ସମିତି ସଭ୍ୟ ଜ୍ୟୋତି ପଲାଇ,ବାଣୀକଲ୍ୟାଣ ମହାପାତ୍ର, ରାକେଶ ମହାପାତ୍ର, ଘନଶ୍ୟାମ ବେହେରା, ଯତୀନ୍ଦ୍ର ବେହେରା ଓ ଶଶଧର ସାମଲଙ୍କ ସମେତ ବହୁ ତୁଙ୍ଗ ନେତା ଓ ରାଜ୍ୟସ୍ତରୀୟ ନେତା, ଯୁବ, ଛାତ୍ର, ମହିଳା କର୍ମୀ ପ୍ରଚାରରେ ସାମିଲ ହୋଇ ଅବନ୍ତୀ ଦାସଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଆଜି ସନ୍ଧ୍ୟା ୬ଟା ପରେ ପ୍ରଚାର କାର୍ଯ୍ୟରେ ବିରାମ ଲାଗିବାକୁ ଥିବାବେଳେ ଆସନ୍ତା ୩ ତାରିଖରେ ଭୋଟରମାନେ ମତଦାନ କରିବାକୁ ଯାଉଛନ୍ତି । ନିର୍ବାଚନରେ ବିଜେଡି ବିରୋଧୀଙ୍କୁ ବିନା ଟାର୍ଗେଟରେ ସବୁବେଳେ ସକରାତ୍ମକ ପ୍ରଚାରକୁ ଗୁରୁତ୍ୱ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ବିକାଶମୂଳକ କାର୍ଯ୍ୟକ୍ରମ, କ୍ରୀଡ଼ା ଏବଂ ଐତିହ୍ୟ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ପ୍ରଦାନ, ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତି ସ୍ଥାନୀୟ ଭୋଟରଙ୍କୁ ପ୍ରଭାବିତ କରିଆସିଛି । ଧାମନଗରରେ ବହୁ ବର୍ଷ ପରେ ଜଣେ ମହିଳାଙ୍କ ହାତରେ ନେତୃତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ପ୍ରଦାନ କରିଛନ୍ତି । ଅତଏବ ଧାମନଗରରେ ବିଜେଡିର ବୃହତ୍‌ ବିଜୟ ସୁନିଶ୍ଚିତ ବୋଲି ଦଳ ପକ୍ଷରୁ ପ୍ରଚାର ମଙ୍ଗ ଧରିଥିବା ବରିଷ୍ଠ ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.