ସୂର୍ଯ୍ୟମନ୍ଦିର ଐତିହ୍ୟସ୍ଥଳୀ କରିଡର୍ ପ୍ରକଳ୍ପ: ସମ୍ମୁଖ ୩୦ ଏକର ଜମିରେ ହେବ ସୌନ୍ଦର୍ଯ୍ୟକରଣ

164

ଭୁବନେଶ୍ବର: ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର “ଐତିହ୍ୟସ୍ଥଳୀ କରିଡର୍ ପ୍ରକଳ୍ପ’ର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ସମ୍ମୁଖରେ ଥିବା ୩୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୀର୍ଘଦିନ ଧରି ବନ୍ଦ ରହିବା ପରେ ପୁଣି କାର୍ଯ୍ୟାରମ୍ଭ ପାଇଁ ରବିବାର ଅପରାହ୍ଣରେ ଓବିସିସିର ଜେନେରାଲ୍ ମ୍ୟାନେଜର୍ ପ୍ରଭାତ କୁମାର ପ୍ରାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ସମୀକ୍ଷା କରିଛନ୍ତି। ଏହି ଟିମ୍‌ରେ ସିନିୟର୍ ପ୍ରୋଜେକ୍ଟ ମ୍ୟାନେଜର୍ ଦୁର୍ଲଭ ନନ୍ଦନ ସାମଲ, ପ୍ରୋଜେକ୍ଟ ମ୍ୟାନେଜର୍ ସୁଶାନ୍ତ କୁମାର ସାହୁଙ୍କ ସମେତ ଗୋପ ତହସିଲଦାର ଅନୀଲ କୁମାର ମହାନ୍ତି, କୋଣାର୍କ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ, କୋଣାର୍କ ଏନ୍‌ଏସି ଯନ୍ତ୍ରୀ ଅର୍ଜୁନ ସାମଲ, କୋଣାର୍କ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ, ପୁରୀ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ, ଠିକାଦାର ବିପି କନ୍‌ଷ୍ଟ୍ରକ୍‌ସନ୍ ଅଧିକାରୀ, କୋଣାର୍କ ରାଜସ୍ୱ ନିରୀକ୍ଷକ କୁଅଁର ମୁର୍ମୁ ପ୍ରମୁଖ ସାମିଲ୍ ଥିଲେ। ତେବେ ପ୍ରସ୍ତାବିତ ସମ୍ମୁଖ ୩୦ ଏକର ଲାବଣ୍ୟ ଲଜ୍ ଛକଠାରୁ ମେଡିକାଲ ଛକ ମଧ୍ୟରେ ଥିବା ଜମିରେ ପୂର୍ବର ସର୍ଭେ ମ୍ୟାପ୍ ଓ ତଥ୍ୟକୁ ନେଇ ଓବିସିସି ପକ୍ଷରୁ ନିର୍ମାଣ କାର୍ଯ୍ୟ ପାଇଁ ଏହି ଟିମ୍ ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ। ଏଥିରେ ପାର୍କିଂସ୍ଥଳ ପାଇଁ ୧ କୋଟି ୮୦ ଲକ୍ଷ, ଅତ୍ୟାଧୁନିକ ପାଦଚଲା ଓଭରବ୍ରିଜ୍ ନିର୍ମାଣ ପାଇଁ ୭ କୋଟି ୫୦ ଲକ୍ଷ ଓ ହସ୍ତଶିଳ୍ପ ଭେଣ୍ଡିଂଜୋନ୍ ପାଇଁ ୬୦କୋଟି ଟଙ୍କା ଖର୍ଚ ହେବା ପାଇଁ ସ୍ଥିର କରାଯାଇଥିଲା ବେଳେ ସ୍ୱରେଜ୍ ଟ୍ରିଟ୍‌ମେଣ୍ଟ, ୱାଟର୍ ଟ୍ରିଟ୍‌ମେଣ୍ଟ ସହିତ ଆଧୁନିକ ପାର୍କ ନିର୍ମାଣ, ଆକର୍ଷଣୀୟ ତୋରଣ ଆଦି ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨୦୯ କୋଟି ଟଙ୍କା ଖର୍ଚ୍ଚହେବ। ଏନେଇ ଆସନ୍ତା ୯ ତାରିଖରେ କୋଣାର୍କରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.