ସମ୍ ନ୍ୟୁରୋ ସର୍ଜନଙ୍କ ଜଟିଳ ଅସ୍ତ୍ରୋପଚାର, ମହିଳାଙ୍କ ମସ୍ତିଷ୍କରୁ ଏକ ସଙ୍ଗରେ ବାହାରିଲା ୫୦୦ ଗ୍ରାମ ଓଜନର ଏକାଧିକ ଟ୍ୟୁମର
ଭୁବନେଶ୍ୱର, ୦୨/୦୫ : ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନଙ୍କ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୩୦ ବର୍ଷିୟା ମହିଳାଙ୍କର ମସ୍ତିଷ୍କରୁ ଏକ ସଙ୍ଗେ ୫୦୦ ଗ୍ରାମର ଏକାଧିକ ଟ୍ୟୁମର ବାହାର କରାଯାଇପାରିଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଏହି ମହିଳା ଜଣକ ମୁଣ୍ଡ ବିନ୍ଧା, କ୍ଷୀଣ ଦୃଷ୍ଟି ଶକ୍ତି ଓ ବାନ୍ତି ଭଳି ସମସ୍ୟା ନେଇ ସମ୍ ହସ୍ପିଟାଲକୁ ଆସିଥିଲେ । ସମ୍ରେ ପ୍ରଥମେ ନ୍ୟୁରୋଲଜି ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀକାନ୍ତ ସାହୁ ତାଙ୍କର ଚିକିତ୍ସା କରିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ଏବଂ ଏମଆରଆଇ ପରେ ତାଙ୍କ ମସ୍ତିଷ୍କରେ ବିଭିନ୍ନ ଆକାରର ୪-୫ ଟି ଟ୍ୟୁମର ଥିବାର ଜଣା ପଡ଼ିଥିଲା । ଏହା ଦ୍ୱାରା ମସ୍ତିଷ୍କରେ ଚାପ ପଡୁଥିଲା, ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ କମି ଆସୁଥିଲା ଓ ଜୀବନ ପ୍ରତି ବିପଦ ଥିଲା । ତେଣୁ ଅପରେସନ ମାଧ୍ୟମରେ ଟ୍ୟୁମରଟିକୁ କାଢ଼ିବାର ନିଷ୍ପତି ନିଆଯାଇଥିଲ ।
ଯେହେତୁ ତାଙ୍କର ମସ୍ତିଷ୍କରେ ଏକାଧିକ ଟ୍ୟୁମର ଥିଲା ଅସ୍ତ୍ରୋପଚାର ଆହ୍ୱାନପୂର୍ଣ୍ଣ ଥିଲା । ଟ୍ୟୁମର ଗୁଡିକୁ ଗୋଟିଏଥରରେ ବାହାର କରିବା, ଏହି ସମୟରେ ରକ୍ତସ୍ରାବ ହେବା, ଶରୀରର କୌଣସି ଅଙ୍ଗ ଅକାମୀ ହେବା କିମ୍ବା ରୋଗୀର ମାନସିକ ଅବସ୍ଥାରେ ଚାପ ପଡ଼ିବା ଭଳି ଚ୍ୟାଲେଞ୍ଜ୍ ରହିଥିଲା । କିନ୍ତୁ ଏହି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏକା ସାଙ୍ଗରେ ଗୋଟିଏ ଅସ୍ତ୍ରୋପଚାର କରି ସମସ୍ତ ଟ୍ୟୁମର ବାହାର କରିବାର ନିଷ୍ପତ୍ତି ନିଆଯାଇଥିଲା ବୋଲି ନ୍ୟୁରୋ ସର୍ଜନ ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି ।
ଏହି ସମସ୍ୟାକୁ ମଲ୍ଟିଲ ମେନିନ୍ଜିଓମୋ କୁହାଯାଏ ଏବଂ ଏହାର ଅସ୍ତ୍ରୋପଚାରକୁ କ୍ରାନିଓଟୋମି ଆଣ୍ଡ ଟ୍ୟୁମର ରିମୁଭାଲ ବୋଲି କୁହାଯାଇଥାଏ । ଏହି ସର୍ଜରୀ ପାଇଁ ୪ ରୁ ୫ ଘଂଟା ସମୟ ଲାଗିଥିଲା ଓ ସଫଳତାର ସହ ଟ୍ୟୁମର ଗୁଡିକୁ ବାହାର କରାଯାଇଥିଲା । ଏହି ସର୍ଜରୀ ପ୍ରଫେସର ପାଣିଗ୍ରାହୀଙ୍କ ନେତୃତ୍ୱରେ କରାଯାଇଥିଲା ଓ ଆନାସ୍ଥେସିଷ୍ଟ ପ୍ରଫେସର ରଞ୍ଜିତା ଆଚାର୍ଯ୍ୟ ଏବଂ ଡ଼ାକ୍ତର ସୁଦୀପ ମହାପାତ୍ର ମଧ୍ୟ ଏଥିରେ ସାମିଲ ହୋଇଥିଲେ । ରୋଗୀଟି ଆଇସିୟୁରେ ରହିବା ସମୟରେ ନ୍ୟୁରୋ ଇଂଟେନସିଭିଷ୍ଟ ଡ଼ାକ୍ତର ଈଶ୍ୱର ଚନ୍ଦ୍ର ବେହେରା ସମସ୍ତ ଚିକିତ୍ସା କରିଥିଲେ ।
ଏହି ମହିଳା ରୋଗୀଙ୍କର ଏକ ବର୍ଷର ଶିଶୁଟିଏ ଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଦୃଷ୍ଟିହୀନ । ତେଣୁ ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବା ଏହି ରୋଗୀଙ୍କର ବିଏସକେୱାଇ ଯୋଜନାରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed, but trackbacks and pingbacks are open.