ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖଓ୍ଵିନ୍ଦର ସିଂ ସୁଖୁ

25

ସିମଲା : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ସୁଖଓ୍ଵିନ୍ଦର ସିଂହ ସୁଖୁ ଶପଥ ନେଇଛନ୍ତି | ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ଦାୟିତ୍ୱ ନେଇଥିବା ବେଳେ, ମୁକେଶ ଅଗ୍ନିହୋତ୍ରୀ ହିମାଚଳ ପ୍ରଦେଶର ପ୍ରଥମ ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।

ଶପଥ ନେବା ପରେ ସେ କହିଛନ୍ତି ଯେ ଆମେ ଜନତାଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛୁ ଏବଂ ଆମେ ଏହାକୁ କାର୍ଯ୍ୟକାରୀ କରିବୁ।କ୍ୟାବିନେଟର ସମ୍ପ୍ରସାରଣ ପରେ ପ୍ରଥମେ କେଉଁ ଗ୍ୟାରେଣ୍ଟି ଯୋଜନା ପ୍ରଥମେ କରାଯିବ ତାହା ସ୍ଥିର ହେବ। ଆମେ ଏକ ସ୍ୱଚ୍ଛ ଏବଂ ସଚ୍ଚୋଟ ସରକାର ଦେବୁ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ କ୍ୟାବିନେଟ ବୈଠକରେ ଆମେ ଓପିଏସ୍ (ପୁରୁଣା ପେନ୍ସନ୍ ସ୍କିମ୍) କାର୍ଯ୍ୟକାରୀ କରିବୁ। ଆମେ ଦେଇଥିବା ସମସ୍ତ ପ୍ରତିଜ୍ଞା ପୂରଣ ହେବ |

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହୋଇଥିଲା । ୬୮ ଟି ଆସନ ମଧ୍ୟରୁ କଂଗ୍ରେସ ୪୦ ଟି ଜିତି ବହୁମତ ହାସଲ କରିଛି। ଗୁରୁବାର ଫଳ ଘୋଷଣା କରାଯାଇଥିଲା। ଶପଥ ଗ୍ରହଣ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ଆମେ ଆନନ୍ଦିତ। ରାହୁଲ୍‌ ଗାନ୍ଧୀ ଶିମ୍‌ଲାରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହ ତାଙ୍କୁ କହିଥିଲେ, ହିମାଚଳ ପ୍ରଦେଶକୁ ଆମେ କଂଗ୍ରେସକୁ ଫେରାଇ ଆଣିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ।
ସୂଚନା ଥାଉ କି ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ପ୍ରତ୍ୟେକ ବୈଠକରେ ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ ନେଇ କହିଥିଲେ । ପ୍ରଥମ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ବର୍ତ୍ତମାନ କଂଗ୍ରେସ ମଧ୍ୟ ନିର୍ବାଚନରେ ​​ବିଜୟୀ ହୋଇଛି । କୁହାଯାଉଛି ଯେ ହିମାଚଳ ପ୍ରଦେଶର ବଡ ପ୍ରଶାସନିକ ଅଧିକାରୀମାନେ ଏଥିପାଇଁ ହିସାବ ଆରମ୍ଭ କରିଛନ୍ତି । କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ହିମାଚଳ ପ୍ରଦେଶର ପ୍ରାୟ ୧.୨୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।

ଏହା ବ୍ୟତୀତ ଏକ ଲକ୍ଷ ଚାକିରିର ପ୍ରତିଶ୍ରୁତି ପୂରଣ କରିପାରେ କଂଗ୍ରେସ । ବର୍ତ୍ତମାନ ହିମାଚଳ ପ୍ରଦେଶରେ ୬୫ ହଜାର ସରକାରୀ ପଦବୀ ଖାଲି ଅଛି ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ଏସବୁ ପଦବୀ ପୂରଣ ହେବ । ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଯୋଗାଇଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ସୂଚନା ଥାଉ ଯେ, ହିମାଚଳ ପ୍ରଦେଶର ସମୁଦାୟ ଆନୁମାନିକ ଜନସଂଖ୍ୟା ୭୫ ଲକ୍ଷ ରହିଛି । ଏଥିମଧ୍ୟରୁ ପ୍ରାୟ ୩୮ ଲକ୍ଷ ପୁରୁଷ ହୋଇଥିବାବେଳେ ୩୬.୯ ଲକ୍ଷ ମହିଳା ରହିଛନ୍ତି ।

Comments are closed, but trackbacks and pingbacks are open.