ସୁକେଶ, ଜ୍ୟାକ୍‌ଲିନ୍ କୋର୍ଟରେ ହାଜର, ସୁକେଶ ପତ୍ନୀଙ୍କ ୨୬ କାର୍ ଜବତ ପାଇଁ ଇଡିକୁ ନିର୍ଦ୍ଦେଶ

37

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ମଙ୍ଗଳବାର ବଲିଉଡ୍ ଅଭିନେତ୍ରୀଙ୍କ ସହିତ ପ୍ରଥମ ଥର ପାଇଁ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟରେ ହାଜର ହୋଇଛନ୍ତି । ଏହି ଅବସରରେ ସୁକେଶ ପୁଣିଥରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ୬୦ କୋଟି ଟଙ୍କା ଦେଇଥିବା ଅଭିଯୋଗ କରିଛି । ଅନ୍ୟପକ୍ଷରେ କୋର୍ଟ ସୁକେଶର ପତ୍ନୀଙ୍କ ୨୬ କାର୍ ଜବତ କରିବା ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ସୁକେଶର ଓକିଲ ଅନନ୍ତ ମଲିକ୍ କହିଛନ୍ତି, ସୁକେଶ ଅର୍ଥ ନେଣ ଦେଣ ନେଇ କରିଥିବା ଅଭିଯୋଗର ଏକ ଉଚ୍ଚସ୍ତରୀୟ କମିଟି ତଦନ୍ତ କରିସାରିଛି । କମିଟି ଏହା ମଧ୍ୟ କହିଛି ଅଭିଯୋଗ ଗୁରୁତର ଏବଂ ଏହାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯିବା ଉଚିତ । ଏଜେନ୍ସି ଯେବେ ବି ସୁକେଶକୁ ଡାକିବ ସେ ହାଜର ହେବ ବୋଲି ସେ କହିଛନ୍ତି । ଏମ୍‌ସିଡି ନିର୍ବାଚନ ପୂର୍ବରୁ ସୁକେଶ ଦିଲ୍ଲୀ ଉପରାଜ୍ୟପାଳଙ୍କୁ କେତେକ ଚିଠିଲେଖି ସେଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ କୈଳାସ ଗେହଲଟ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲା । ଏହି ଅଭିଯୋଗ ଉପରେ ଉପରାଜ୍ୟପାଳ ଦିଲ୍ଲୀର ପ୍ରିନ୍ସିପାଲ୍ ସେକ୍ରେଟାରୀ (ଗୃହ)ଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରିଥିଲେ । କମିଟି ନଭେମ୍ବର ୧୪ ଓ ୧୫ ତାରିଖରେ ମଣ୍ଡୋଲି ଜେଲ୍‌ରେ ସୁକେଶକୁ ପଚରା ଉଚରା ମଧ୍ୟ କରିଥିଲେ । ଏହି ଅବସରରେ ସୁକେଶ ରାଜ୍ୟସଭା ସିଟ୍ ନିମେନ୍ତ ୫୦ କୋଟି ଏବଂ ଜେଲ୍‌ରେ ସୁରକ୍ଷା ପାଇଁ ୧୦ କୋଟି ଟଙ୍କା ଆପ୍‌କୁ ଦେଇଥିବା କହିଥିଲା । ସେହିପରି ସେତେବେଳର ଜେଲ୍ ଡିଜି ସନ୍ଦୀପ ଗୋୟଲ୍‌ଙ୍କୁ ମଧ୍ୟ ୧୨ କୋଟି ଟଙ୍କା ଦେଇଥିବା କହିଥିଲା । ଅନ୍ୟପକ୍ଷରେ ଏହି ଠକେଇ ମାମଲାରେ ଆଜି କୋର୍ଟରେ ହାଜର ହୋଇଥିବା ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଡିସେମ୍ବର ୨୩ରେ ବାହାରିନ୍ ଯିବାପାଇଁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । କୋର୍ଟ ଏହା ଉପରେ ଇଡିଠାରୁ ଜବାବ ମାଗିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ୨୨ ତାରିଖରେ ହେବ । ସେହିପରି ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ ତାରିଖରେ କରାଯିବ ।

Comments are closed, but trackbacks and pingbacks are open.