ପାକିସ୍ତାନରେ ରେଳ ଟ୍ରାକରେ ଆତ୍ମଘାତୀ ଆକ୍ରମଣ: ୨୬ ମୃତ

22

ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। କ୍ୱେଟା ରେଳ ଷ୍ଟେସନରେ ହୋଇଥିବା ଏକ ଶକ୍ତିଶାଳୀ ଆତ୍ମଘାତୀ ବୋମା ବିସ୍ଫୋରଣରେ ଅତିକମରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ‘ବାଲୁଚ୍ ଲିବରେସନ୍ ଆର୍ମି’ (BLA)ର ମାଜିଦ୍ ବ୍ରିଗେଡ୍ ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ, ଆଜି ସକାଳେ କ୍ୱେଟା ରେଳ ଷ୍ଟେସନରୁ ‘ଜାଫର ଏକ୍ସପ୍ରେସ୍’ ଟ୍ରେନ୍‌ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଟିକେଟ୍ କାଉଣ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଏହି ଟ୍ରେନ‌ରେ ବହୁ ସଂଖ୍ୟାରେ ସାମରିକ କର୍ମଚାରୀ ଯାତ୍ରା କରୁଥିଲେ ଏବଂ ସେମାନଙ୍କୁ ହିଁ ଟାର୍ଗେଟ୍ କରି ଆତଙ୍କବାଦୀ ଜଣକ ନିଜକୁ ଉଡ଼ାଇ ଦେଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ରେଳ ଷ୍ଟେସନର ପ୍ଲାଟଫର୍ମର ଛାତ ସହ ଟ୍ରେନ୍‌ର ଗୋଟିଏ ବଗି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୱେଟାର ସାମରିକ ମାଧ୍ୟମିକ ଚିକିତ୍ସାଳୟ (CMH) ଏବଂ ସଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହାକୁ ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ଆତ୍ମଘାତୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛନ୍ତି।

Comments are closed, but trackbacks and pingbacks are open.