ଶିକ୍ଷାୟତନରେ ଏଭଳି ଘଟଣା ଦୁର୍ଭାଗ୍ୟଜନକ – ଧର୍ମେନ୍ଦ୍ର ପ୍ରଧାନ

111

ଭୁବନେଶ୍ୱର : ବାଲେଶ୍ୱର ଏଫଏମ୍‍ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଘଟଣାରେ ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି । ଏଭଳି ଘଟଣା ଦୁର୍ଭାଗ୍ୟଜନକ, ଯେତେ ନିନ୍ଦା କଲେ ବି କମ୍‍ ହେବ । ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି, ସାମ୍ନା କରିବାକୁ ପଡିବ । ଆଗକୁ ରାଜ୍ୟ ସକରାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବେ । ବର୍ତ୍ତମାନ ରାଜନୀତି କରିବାର ବେଳେ ନୁହେଁ, ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରାଥମିକତା ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ଏମ୍ସ ଗସ୍ତ କରିଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ଏଫ୍.ଏମ୍. କଲେଜ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର । ତତସହିତ ଏକ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ଘଟିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ପୀଡ଼ିତା ଜଣକ ଆଇସିସିୟୁରେ ଚିକିତ୍ସାଧୀନ ଥିବାରୁ ପୀଡ଼ିତାଙ୍କ ଭେଟିବାକୁ ମନ୍ତ୍ରୀ ଉଚିତ ମନେ କରି ନ ଥିଲେ । କେନ୍ଦ୍ର ମନ୍ତ୍ରୀ ପୀଡ଼ିତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରୀ ଟିମ୍ ସହିତ ଆଲୋଚନା କରିଛନ୍ତି ।

ସେପଟେ ଛାତ୍ରୀଙ୍କ ଶରୀରର ୯୫ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି । ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସର ବିଶେଷଜ୍ଞଙ୍କ ମତାମତ ଲୋଡାଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮ପ୍ରତିଶତ ଅକ୍ସିଜେନ୍‍ ସପୋର୍ଟରେ ଅଛନ୍ତି ପୀଡିତା ।

Comments are closed, but trackbacks and pingbacks are open.