ଭାର୍ଗବାସ୍ତ୍ର କାଉଣ୍ଟର୍ ସ୍ୱାର୍ମ ଡ୍ରୋନ୍ ସିଷ୍ଟମ୍‌ର ସଫଳ ପରୀକ୍ଷଣ

271

ଭୁବନେଶ୍ୱର : ପାକିସ୍ତାନ ସହିତ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତୀୟ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଭାର୍ଗବାସ୍ତ୍ର କାଉଣ୍ଟର୍‌-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ୍‌’ର ବୁଧବାର ସଫଳ ପରୀକ୍ଷଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ସିୱାର୍ଡ ଫାୟାରିଂ ରେଞ୍ଜ୍‌ରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଏହା ଏକ ସମୟରେ ଏକାଧିକ ଡ୍ରୋନ୍‌କୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ଲକ୍‌କରି ନଷ୍ଟ କରିବାରେ ସଫଳ ହୋଇଛି। ସୋଲାର୍ ଡିଫେନ୍ସ ଆଣ୍ଡ୍ ଏରୋସ୍ପେଶ୍ ଲିମିଟେଡ୍ (ଏସ୍‌ଡିଏଏଲ୍‌) ପକ୍ଷରୁ ବିକଶିତ ଭାର୍ଗବାସ୍ତ୍ର ଏକ ସ୍ୱଳ୍ପମୂଲ୍ୟର ମଡ୍ୟୁଲାର୍ ସିଷ୍ଟମ୍ ହୋଇଥିବା ବେଳେ ଏହାକୁ ବିଭିନ୍ନ ଅଞ୍ଚଳରେ ବ୍ୟବହାର କରାଯାଇପାରିବ। ଏପରିକି ସମୁଦ୍ର ପତ୍ତନଠାରୁ ୫ ହଜାର ମିଟର ଉଚ୍ଚରେ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏହି ସିଷ୍ଟମ୍ ‘ହାର୍ଡ କିଲ୍‌’ ମୋଡ୍‌ରେ ଚାଲୁଥିବା ବେଳେ ଏହା କେବଳ ଡ୍ରୋନ୍‌ଗୁଡ଼ିକ ଜାମ୍ ଓ ଅକାମୀ କରେ ନାହିଁ, ବରଂ ନଷ୍ଟ କରିଦେଇଥାଏ।
ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ୍ ସହିତ ରାଡାର୍‌, ଇଲେକ୍ଟ୍ରୋ-ଅପ୍‌ଟିକାଲ୍ ଓ ସେନ୍‌ସର୍ ଆଦି ରହିଛି, ଯାହା ଆକାଶ ମାର୍ଗରେ ୬ରୁ ୧୦ କିଲୋମିଟର ଦୂରରେ ଆସୁଥିବା ଛୋଟ ବିପଦଗୁଡ଼ିକୁୁ ଚିହ୍ନଟ କରିବାରେ ସକ୍ଷମ। ଏହାର ଅତ୍ୟାଧୁନିକ କମାଣ୍ଡ୍ ଓ କଣ୍ଟ୍ରୋଲ୍ ସି୪ଆଇ (କମାଣ୍ଡ, କଣ୍ଟ୍ରୋଲ୍‌, କମ୍ୟୁନିକେସନ୍‌, କମ୍ପ୍ୟୁଟର୍ ଓ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜିର ବ୍ୟବହାର କରି ଆକାଶ ମାର୍ଗରେ ଡ୍ରୋନ୍ ଆଦିର ଉପସ୍ଥିତି ଓ ଏହା କେତେ ବିପଦପୂର୍ଣ୍ଣ ସେ ନେଇ ତଥ୍ୟ ମଧ୍ୟ ପ୍ରଦାନ କରିଥାଏ। ଥରେ ବିପଦକୁ ଚିହ୍ନଟ କରି ଟାର୍ଗେଟ୍ ସ୍ଥିରକରିବା ପରେ ଭାର୍ଗବାସ୍ତ୍ର ଏହାର ପ୍ରଥମ ସ୍ତରରେ ଥିବା ଅନ୍‌ଗାଇଡେଡ୍ ମାଇକ୍ରୋ ରକେଟ୍ ନିକ୍ଷେପ କରେ, ଯାହା ୨୦ ମିଟରର ଏକ ଘାତକ ବଳୟ ତିଆରି କରି ଟାର୍ଗେଟ୍‌ଗୁଡ଼ିକୁ (ଡ୍ରୋନ୍‌) ୨.୫ କିମି ଭିତରେ ନଷ୍ଟ କରିଦିଏ। ସେହିପରି ସଠିକ୍ ଟାର୍ଗେଟ୍ ପାଇଁ ଭାର୍ଗବାସ୍ତ୍ରର ଦ୍ୱିତୀୟ ସ୍ତରରେ ଗାଇଡେଡ୍ ମାଇକ୍ରୋ ମିସାଇଲ୍ ରହିଛି, ଯାହା ନିର୍ଦ୍ଦିଷ୍ଟ ବିପଦଗୁଡ଼ିକୁ ପିନ୍‌ପଏଣ୍ଟ ଟାର୍ଗେଟ୍ କରିଥାଏ। ଭାର୍ଗବାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତୀୟ ସେନାର ଶକ୍ତିରେ ଯଥେଷ୍ଟ ବୃଦ୍ଧି ଘଟିବା ସମ୍ଭାବନା ରହିଛି।

Comments are closed, but trackbacks and pingbacks are open.