ଚାନ୍ଦିପୁରରୁ ଭାରତୀୟ ନୌସେନାର ଜାହାଜ ଵିଧ୍ଵଂସ କାରୀ ମିଜାଇଲର ସଫଳ ପରୀକ୍ଷଣ

24

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟୀରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ହୋଇଛି ସଫଳ ପରୀକ୍ଷଣ ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା। ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇ ଥିଲା । ଆକାଶରେ ଏକ ହେଲିକପ୍ଟରରୁ ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରକୁ ବଙ୍ଗୋପସାଗରରେ ଥିବା ଏକ ଟାର୍ଗେଟକୁ ନିକ୍ଷେପ କରାଯାଇଥିଲା। ଏହା ସଫଳ ହୋଇଥିଲା। ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହା ହେଉଛି ପ୍ରଥମ ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ର। ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।ଏହି ପରୀକ୍ଷଣ ସଫଳ ହୋଇଥିବା ଡିଆରଡିଓ ସୂଚନା ଦେଇଛି।

ଭାରତୀୟ ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସ୍ଵତନ୍ତ୍ର ମିଶାଇଲ ପ୍ରଦୌଗିକିରେ ଆତ୍ମନିର୍ଭରତା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଗତମାସ ଆଣ୍ଡମାନ ଏବଂ ନିକୋବର କମାଣ୍ଡ ଦ୍ଵାରା ମିଳିତ ଭାବେ ବ୍ରହ୍ମୋସ ସୁପରସୋନିକ କ୍ରିଜ ମିଶାଇଲର ଜାହାଜ ବିଧ୍ଵଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାର ଗୋଟିଏ ମାସ ପରେ ନୂତନ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି।

ଚଳିତ ୟୁକ୍ରେନ ଯୁଦ୍ଧରେ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହୋଇଛି । ୟୁକ୍ରେନ ପକ୍ଷରୁ ଏହି ଧରଣର କ୍ଷେପଣାସ୍ତ୍ର ପ୍ରୟୋଗ କରି ରୁଷର ଶକ୍ତିଶାଳୀ ବିମାନବାହୀ ପୋତକୁ ଧ୍ବଂସ କରିଦିଆଯାଇଛି ।ଭାରତ ମହାସାଗରୀୟ ଅଂଚଳରେ ଚୀନର ପ୍ରଭାବ ବଢୁଥିବାରୁ ଏଅଂଚଳରେ ଭାରତୀୟ ନୌସେନା ନିଜର ଶକ୍ତି ବୃଦ୍ଧି କରିବାକୁ ପଦକ୍ଷେପ ନେଉଛି । ବିଶେଷକରି ସ୍ବଦେଶୀ ଜ୍ଞାନକୌଶଳରେ ନୂଆ ନୂଆ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣ ବିକଶିତ କରି ନୌସେନାରେ ସାମିଲ କରାଯାଉଛି।ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏଥିରେ ଜଡ଼ିତ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଏହି ସଫଳତା ନେଇ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed, but trackbacks and pingbacks are open.