‘ବିକ୍ରମ-ଏସ୍‌’ର ସଫଳ ପ୍ରକ୍ଷେପଣ

21

ହାଇଦ୍ରାବାଦ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ କେନ୍ଦ୍ରରୁ ଘରୋଇ ଟେକ୍‌ନିକ୍‌ରେ ବିକଶିତ ରକେଟ୍ ‘ବିକ୍ରମ-ଏସ୍‌’ର ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସଫଳ ପ୍ରକ୍ଷେପଣ କରାଯାଇଛି । ପ୍ରକ୍ଷେପଣ ପରେ ବିକ୍ରମ-ଏସ୍ ୮୯.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଯାତ୍ରା କରିବା ସହ ସମସ୍ତ ମାନକରେ ସଫଳ ହୋଇଛି । ଏହା ତିନିଟି ପେଲୋଡ୍ ନେଇ ଯାତ୍ରା କରିଥିଲା । ଚାରିବର୍ଷ ପୁରୁଣା ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ପକ୍ଷରୁ ବିକ୍ରମ-ଏସ୍‌’ର ପ୍ରକ୍ଷେପଣ ନେଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହା ଦେଶର ଅନ୍ତରୀକ୍ଷ ଉଦ୍ୟୋଗରେ ଘରୋଇ କ୍ଷେତ୍ରର ପ୍ରଥମ ପ୍ରବେଶ ।
ବିକ୍ରମ-ଏସ୍ ରକେଟ୍ ବିକଶିତ କରିଥିବା ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ପକ୍ଷରୁ ଏକ ଟ୍ୱିଟ୍‌ରେ ଘୋଷଣା କରାଯାଇଛି ‘ଅନ୍ତରୀକ୍ଷକୁ ସୁଶୋଭିତ କରିଥିବା ବିକ୍ରମ-ଏସ୍ ଭାରତର ପ୍ରଥମ ଘରୋଇ ରକେଟ୍ ଭାବେ ଇତିହାସ ରଚିଛି । ଏହି ମହତ୍ୱପୂର୍ଣ୍ଣ ଅବସରରେ ଆମ ସହିତ ରହିଥିବା କାରଣରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ । ସେହିପରି ଇସ୍ରୋ ପକ୍ଷରୁ ଟ୍ୱିଟ୍‌ରେ ଘୋଷଣା କରାଯାଇଛି ‘ମିଶନ୍ ପ୍ରାରମ୍ଭ ସଫଳତାପୂର୍ବକ ପୂରା ହୋଇଛି, ବଧେଇ ।’ ଦଶନ୍ଧି ଧରି ଏ କ୍ଷେତ୍ରରେ ସରକାରୀ କତ୍ତୃତ୍ୱରେ ଥିବା ଇସ୍ରୋର ପ୍ରଭୂତ୍ୱ ରହିଆସିଥିଲା । ତେବେ ୨୦୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯିବା ପରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ପାଦ ରଖିବାରେ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ କମ୍ପାନୀ ହୋଇଛି । ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଏବଂ ଦିବଗଂତ ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ନାମରେ ରକେଟ୍‌ର ନାମକରଣ ବିକ୍ରମ-ଏସ୍‌’ ରଖାଯାଇଛି । ଏହା ପ୍ରଥମେ ନଭେମ୍ବର ୧୫ ତାରିଖରେ ପ୍ରକ୍ଷେପଣ କରାଯିବାର କାର୍ଯ୍ୟକ୍ରମ ଥିଲା । ସତୀଶ ଧୱନ୍ ଅନ୍ତରୀକ୍ଷ କେନ୍ଦ୍ରରୁ ପ୍ରକ୍ଷେପଣ ପରେ ବିକ୍ରମ-ଏସ୍ ୮୧ କିଲୋମିଟର ଉଚ୍ଚତାରେ ପହଞ୍ଚିବାର ଥିଲା । ମାତ୍ର ଏହା ତା’ଠାରୁ ଅଧିକ ଉଚ୍ଚକୁ ଯାଇଥିଲା । ‘ପ୍ରାରମ୍ଭ’ ନାମକ ଏହି ମିଶନ୍‌ରେ ବିକ୍ରମ-ଏସ୍ ରକେଟ୍ ଦୁଇଟି ଘରୋଇ ଏବଂ ଗୋଟିଏ ବିଦେଶୀ ଗ୍ରାହକଙ୍କ ତିନିଟି ପେଲୋଡ୍ ବହନ କରଥିଲା । ବିକ୍ରମ-ଏସ୍ ସବ୍‌-ଅର୍ବିଟ୍ ଉଡ଼ାଣରେ ଚେନ୍ନାଇର ଷ୍ଟାର୍ଟଅପ୍ ସ୍ପେସ୍ କିଡ୍‌ଜ, ଆନ୍ଧ୍ରପ୍ରଦେଶର ଷ୍ଟାର୍ଟଅପ୍ ଏନ୍‌-ସ୍ପେସ୍ ଟେକ୍ ଏବଂ ଆର୍ମେନିୟାର ଷ୍ଟାର୍ଟଅପ୍ ବାଜୁମକ୍ୟୁ ସ୍ପେସ୍ ରିସର୍ଚ୍ଚ ଲ୍ୟାବର ପେଲୋଡ୍‌୍ ସାମିଲଥିଲା । ସ୍କାଇରୁଟ୍‌ର ଜଣେ ଅଧିକାରୀ କହିଛନ୍ତି, ୬ ମିଟର ଲମ୍ବା ବିକ୍ରମ-ଏସ୍ ବକ୍ରତାର ସ୍ଥିରତା ପାଇଁ ୩-ଡି ପ୍ରିଣ୍ଟେଡ୍ ପ୍ରକ୍ଷେପକ ଥିବା ବିଶ୍ୱର ପ୍ରଥମ କେତୋଟି ରକେଟ୍ ମଧ୍ୟରେ ଅନ୍ୟତମ । ଭାରତୀୟ ଅନ୍ତରୀକ୍ଷ ନିୟାମକ ଇନ୍‌-ସ୍ପେସ୍ ବୁଧବାର ସ୍କାଇରୁଟ୍‌ର ବିକ୍ରମ-ଏସ୍ ରକେଟ୍ ପ୍ରକ୍ଷେପଣକୁ ଅଧିକୃତ କରିଥିଲା ।

Comments are closed, but trackbacks and pingbacks are open.