ଓଏସ୍ଓୟୁ ରେ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହେବା ଆଶଙ୍କା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁଭେଟିଲେ ଛାତ୍ର ଛାତ୍ରୀ

248

ଭୁବନେଶ୍ୱର : ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କୁ ଭେଟିଲେ ମୁକ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ I ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ) ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେବା ସହିତ ଏ ବିଷୟରେ ଆଲୋଚନା କରିଛନ୍ତି ମୁକ୍ତ ବିଶ୍ବବିଦ୍ୟାଳୟର ବିଜେବି କଲେଜ ଷ୍ଟଡି ସେଣ୍ଟର ସାମ୍ବାଦିକତା ପାଠ୍ୟକ୍ରମର ପୁରାତନ ଛାତ୍ରଛାତ୍ରୀମାନେ I ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ଛାତ୍ରଛାତ୍ରୀଙ୍କ ଦାବି ଉପରେ ଅନୁଧ୍ୟାନ କରି ଯଥାଶୀଘ୍ର ରାଜ୍ୟ ସରକାର ଏ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାନୁସାରେ,୨୦୧୫ ମସିହାରେ ସ୍ଥାପିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ) ଇତି ମଧ୍ୟରେ ୪୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ସଫଳ ହୋଇଛି I ରାଜ୍ୟରେ ଥିବା ଅନ୍ୟ ସମସ୍ତ ମୁକ୍ତ ବିଶ୍ୱବିଦ୍ୟାଳୟ ଅପେକ୍ଷା ଏଥିରେ ଶିକ୍ଷାଦାନ ପଦ୍ଧତି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ସୁଲଭ ମୂଲ୍ୟରେ ହୋଇଥାଏ I ତେଣୁ ଛାତ୍ରଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରତି ଆଗ୍ରହୀ ହେବା ସହିତ ଅନେକ ସ୍ନାତକୋତ୍ତର ଛାତ୍ର ଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେଣୁ ବର୍ତ୍ତମାନ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ନିରବଛିନ୍ନ ଭାବରେ ଶିକ୍ଷା ପ୍ରଦାନ କରି ଆଗକୁ ବଢୁଥିବା ବେଳେ,ଏହା ବନ୍ଦ ହେବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଛି ତାହା ଶିକ୍ଷାର୍ଥୀମାନଙ୍କୁ ଦ୍ବନ୍ଦରେ ପକାଇଛି I ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟର ସମସ୍ୟାବଳୀର ସମାଧାନ କରି ଏହାକୁ ବନ୍ଦ ହେବାକୁ ନଦେବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ମାନ୍ୟଵର ମନ୍ତ୍ରୀ ଶ୍ରୀ ନାୟକ ଛାତ୍ରଛାତ୍ରୀଙ୍କ ଦାବି ଉପରେ ଅନୁଧ୍ୟାନ କରି ଯଥାଶୀଘ୍ର ରାଜ୍ୟ ସରକାର ଏ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed, but trackbacks and pingbacks are open.