ଅସାଦୁଦ୍ଦିନ ଓୱେସୀଙ୍କ ବାସଭବନକୁ ପଥରମାଡ

27

ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରକୁ ପଥରମାଡ । ରବିବାର ସନ୍ଧ୍ୟାରେ କିଛି ଅଜଣା ଦୁର୍ବୃତ୍ତ ଓୱେସୀଙ୍କ ବାସଭବନ ଉପରକୁ ପଥରମାଡ କରିଥିବା ଅଭିଯୋଗ ହୋଇଛି ।ତେବେ ଏଥିରେ ଘରର ଝରକା ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ଅସାଦୁଦ୍ଦିନ ଓୱେସୀ ଥାନାରେ ଅଭିଯୋଗ କରିବା ସହିତ ଟ୍ୱିଟ କରି ଭିଡ଼ିଓ ସେୟାର କରିଛନ୍ତି । ସେ ଅଭିଯୋଗରେ କହିଛନ୍ତି ଯେ, ରବିବାର ସନ୍ଧ୍ୟା ୫ଟା ୩୦ ମିନିଟରେ ଦିଲ୍ଲୀର ଅଶୋକା ରୋଡ ସ୍ଥିତ ବାସଭବନ ଉପରେ କିଛି ଅଜଣା ଦୁର୍ବୃତ୍ତ ପଥର ମାଡ କରିଥିଲେ ।

ଏନେଇ ଓୱେସୀ ଟ୍ୱିଟ କରି କହିଛନ୍ତି ଯେ, ‘ମୋର ଦିଲ୍ଲୀ ସ୍ଥିତ ବାସଭବନ ଉପରେ ପୁଣିଥରେ ଆକ୍ରମଣ ହୋଇଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୪ ଥର ଆକ୍ରମଣ କରାଯାଇଛି । ରବିବାର ଦିନ ପୁଣି କିଛି ଅଜଣା ବ୍ୟକ୍ତି ପଥର ମାଡ କରିଛନ୍ତି । ମୁଁ ଜୟପୁରରୁ ଫେରୁଥିବା ସମୟରେ ପଥର ମାଡ କରାଯାଇଥିବା ନେଇ ଖବର ପାଇଲି । ମୁଁ ରାତି ୧୧.୩୦ ମିନିଟରେ ଘରେ ପହଞ୍ଚିବା ପରେ ଦେଖିଥିଲି । ଆକ୍ରମଣରେ ମୋ ଘରର ଝରକା ଭାଙ୍ଗିଯାଇଛି । ଦିଲ୍ଲୀ ପୋଲିସ ଶୀଘ୍ର ଦୁର୍ବୃତ୍ତକୁ କାବୁ କରନ୍ତୁ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋର ବାସଭବନ ଚାରିପଡେ ସିସିଟିଭି କ୍ୟାମେରା ଲାଗିଛି । ମୁଁ ଭାବୁଛି ପୂର୍ବରୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ହିଁ ଏହି କାଣ୍ଡ ଘଟାଇ ଥାଇପାରନ୍ତି ।

ହାଇ ସିକ୍ୟୁରିଟି ଜୋନ ଭିତରକୁ ଆସି ଏପରି କାଣ୍ଡ ଘଟାଇଛନ୍ତି । ଦିଲ୍ଲୀ ପୋଲିସ ଶୀଘ୍ର ଦୁର୍ବୃତ୍ତଙ୍କୁ ଖୋଜି ବାହାର କରିବା ସହ ଗିରଫ କରନ୍ତୁ ।’ ତେବେ ଏହି ଘଟଣାକୁ ନେଇ ପୋଲିସରେ ଏତଲା ଦେଇଥିଲେ ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ଅଭିଯୋଗ ପରେ ଦିଲ୍ଲୀ ପୋଲିସଙ୍କ ସମେତ ଅତିରିକ୍ତ ଡିସିପି ତାଙ୍କ ବାସଭବନକୁ ଯାଇ ସ୍ଥିତି ଯାଞ୍ଚ କରିଥିଲେ ।

Comments are closed, but trackbacks and pingbacks are open.