ମୌସୁମୀରେ ରୁହନ୍ତୁ ଫିଟ୍‌

50

ମୌସୁମୀ ଆସିଲେ ଘରେ ଘରେ ସମସ୍ତଙ୍କୁ ରୋଗ ମାଡ଼ିବସିଥାଏ । ଥଣ୍ଡା, କାଶ କିମ୍ବା ଜ୍ୱରରେ ସମସ୍ତେ ସଂକ୍ରମିତ ହୋଇଥାନ୍ତି । କିଛି ଘରୋଇ ଉପଚାର ସହ ଖାଦ୍ୟପେୟରେ ସତର୍କତା ଅବଲମ୍ବନ କଲେ ଶରୀରକୁ ସଂକ୍ରମିତ ହେବାରୁ ବଞ୍ଚାଇପାରିବେ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି-ସଂକ୍ରମଣକୁ ରୋକିବା ପାଇଁ ସର୍ବପ୍ରଥମେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ରୋଗପ୍ରତିରୋଧକ ଶରୀରକୁ ଠିକ୍‌ କରିବା ସହ ଜୀବାଣୁ କିମ୍ବା ଭୂତାଣୁ ସହ ଲଢ଼ିବାକୁ ସାହାଯ୍ୟ କରେ । ସବୁଜ ପନିପରିବା, ଫଳ ଏବଂ ସୁପ୍‌ ଖାଇବା ଦ୍ୱାରା ଇମୁ୍ୟନିଟି ବଢ଼ିଥାଏ । ଖାଦ୍ୟରେ ରସୁଣର ବ୍ୟବହାର ଅଧିକ କରନ୍ତୁ । ରସୁଣ ଖାଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ହଜମ ପ୍ରକ୍ରିୟା ସନ୍ତୁଳିତ କରେ ।

ସଂକ୍ରମଣରୁ ଦୂରେଇ ରୁହନ୍ତୁ-ଏହି ସିଜିନ୍‌ରେ ସଂକ୍ରମଣରୁ ବଞ୍ଚିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ଶରୀରକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ । ଦେହ ଅସୁସ୍ଥ ଲାଗିଲେ ତୁରନ୍ତ ଡାକ୍ତରଖାନା ଯାଇ ଚିକିତ୍ସା କରନ୍ତୁ । ମୌସୁମୀରେ ଫୁଟା ପାଣି ପିଅନ୍ତୁ । ଏହା ବ୍ୟତୀତ ରନ୍ଧାଖାଦ୍ୟ ଖାଆନ୍ତୁ । ବାହାର ଓ ପ୍ୟାକେଟ୍‌ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ । କଞ୍ଚା ଖାଦ୍ୟ ସାମଗ୍ରୀରୁ ମଧ୍ୟ ଦୂରେଇ ରୁହନ୍ତୁ ।

ଶରୀରକୁ ହାଇଡ୍ରେଟ୍‌ ରଖନ୍ତୁ -ମୌସୁମୀ ଆସିଲେ ପ୍ରତିଦିନ ବର୍ଷା ହୋଇଥାଏ ଏବଂ ଆଦ୍ରତା ବଢ଼ିଯାଏ । ହେଲେ ଶରୀର ଶୁଷ୍କ ରହିଲେ ବିଭିନ୍ନ ରୋଗ ଗ୍ରାସ କରିଥାଏ । ତେଣୁ ନିୟମିତ ବ୍ୟବଧାନରେ ପାଣି ପିଅନ୍ତୁ । ଏହାସହ ଜାମୁ କୋଳି, ସେଓ, ଡାଳିମ୍ବ, ଚେରି ଏବଂ କମଳା ପରି ଫଳ ଖାଇଲେ ଶରୀରର ଜଳୀୟଅଂଶ କମିନଥାଏ । ଜୁସ୍‌, ଗ୍ରୀନ ଟି ଏବଂ ସୁପ୍‌ ପିଇବା ମଧ୍ୟ ଭଲ ।

ହଜମ ଶକ୍ତି ବଢ଼ାନ୍ତୁ-ଫଳ ଓ ପନିପରିବା ଶରୀରର ଶକ୍ତିକୁ ବଜାୟ ରଖିଥାନ୍ତି । ଏଣୁ ମୌସୁମୀ ସମୟରେ ଏହି ସବୁ ଖାଦ୍ୟ ଗ୍ରହଣ କରନ୍ତୁ । ଏହାଛଡ଼ା ତଟକା ଫଳ ଓ ପନିପରିବା ସୁସ୍ଥ ହଜମ ଶକ୍ତିକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ଯେତେ ସମ୍ଭବ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ ।

ତୁଳସୀ ସେବନ-ବର୍ଷାଦିନେ ଗରମ ଚାହା ପିଇବା ସମସ୍ତଙ୍କ ପସନ୍ଦ । ହେଲେ ଚାହାରେ ତୁଳସୀ ପତ୍ର ପକାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତୁଳସୀରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ ବହୁ ରୋଗରୁ ମୁକ୍ତି ଦେଇଥାଏ । ବିଶେଷ କରି ଥଣ୍ଡା, କାଶ ଓ ଜର ହୋଇନଥାଏ ।

ତ୍ୱଚାର ଯତ୍ନ-ଜୀବାଣୁ ସମ୍ବନ୍ଧୀୟ ତ୍ୱଚା ରୋଗରୁ ବଞ୍ଚିବା ପାଇଁ ସବୁବେଳେ ସଫାସୁତୁରା ରହିବାକୁ ଚେଷ୍ଟା କରନ୍ତୁ । ବର୍ଷାରେ ଓଦା ହୋଇଆସିଲେ ତୁରନ୍ତ ଗାଧାନ୍ତୁ । ସବୁବେଳେ ମୁହଁରେ ହାତ ମାରନ୍ତୁ ନାହିଁ । ସୂର୍ଯ୍ୟମୁଖୀ ମଞ୍ଜି ଏବଂ କଖାରୁ ମଞ୍ଜି ଖାଇଲେ ଭିଟାମିନ୍‌ ଇ ମିଳିଥାଏ ଏବଂ ତ୍ୱଚାରେ ଚମକ ଫେରିଥାଏ ।

Comments are closed, but trackbacks and pingbacks are open.