ଜାନୁୟାରୀ ୧୧ରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ

27

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପକ୍ଷରୁ ସରକାରଙ୍କ ସ୍କ୍ରାପ୍ ନୀତିକୁ ବିରୋଧ କରାଯାଉଛି । ତୁରନ୍ତ ଏହି ନୀତି ପ୍ରତ୍ୟାହାର ପାଇଁ ମହାସଂଘ ଦାବି କରୁଛି । ତେଣୁ ମହାସଂଘ ପକ୍ଷରୁ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପରିବହନ ସଚିବ ଓ ପରିବହନ କମିଶନରଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଏହି ଦାବିଗୁଡ଼ିକୁ ସରକାରଙ୍କ ପକ୍ଷରୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ପୂରଣ କରାନଯାଏ, ତାହାଲେ ଆସନ୍ତା ଜାନୁୟାରୀ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଚଳା ଚଳ ବନ୍ଦ କରିବା ପାଇଁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଆଜି ମହାସଂଘ ପକ୍ଷରୁ ସ୍ଥାନୀୟ ଗଣ୍ଡରପୁର ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି ହୋଇଛି । ଏଥି ସହିତ ୨୦ ବର୍ଷରୁ ଊର୍ଦ୍ଧ୍ୱ ଗାଡ଼ିକୁ ରାସ୍ତାରୁ ହଟାଯିବା, ନୂଆ ଗାଡ଼ି କିଣିଲେ ୨୫ ପ୍ରତିଶତ ରୋଡ ଟ୍ୟାକ୍ସ ୧୦ ବର୍ଷ ପାଇଁ ଛାଡ଼ କରିବା, ସ୍କ୍ରାପ ଭାଲ୍ୟୁ ପାଇଁ ସରକାର ଧାର୍ଯ୍ୟ କରିଥିବା ୬ ପ୍ରତିଶତ ବଦଳରେ ୧୦ପ୍ରତିଶତ କରାଯିବାକୁ ଦାବି କରାଯାଇଛି । ଏତଦ୍ ବ୍ୟତୀତ ବଡ଼ ବଡ଼ ପରିବହନ କମ୍ପାନୀମାନେ ଶିଳ୍ପପତିଙ୍କ ଠାରୁ ଉଚ୍ଚଦରରେ ଭଡ଼ା ଆଦାୟ କରୁଥିବାବେଳେ ଟ୍ରକ ମାଲିକମାନଙ୍କୁ ବହୁତ କମ୍ ଭଡା ପ୍ରଦାନ କରୁଛନ୍ତି । ଏହାଦ୍ୱାରା ସେମାନେ ସେମାନଙ୍କର କିସ୍ତି ଟଙ୍କା ସୁଝିପାରୁ ନାହାନ୍ତି । ଫଳରେ ଅର୍ଥଲଗାଣକାରୀ ସଂସ୍ଥା ପୁଲିସର ସହାୟତା ଓ ଭଡ଼ାଟିଆ ଗୁଣ୍ଡା ଲଗାଇ ଟ୍ରକ ଗୁଡ଼ିକୁ ଜବତ କରୁଛନ୍ତି; ଯାହାକି ସମ୍ପୂର୍ଣ୍ଣ ବେଆଇନ । ତେଣୁ ମାଲିକମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ମୋଟର ଯାନ ଆଇନର ୬୭ଧାରା ଅନୁଯାୟୀ ଭଡ଼ାଧାର୍ଯ୍ୟ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ, ଉପଦେଷ୍ଠା ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପାଣି, ଉପସଭାପତି ଶିବପ୍ରସାଦ ମିଶ୍ର, ରାଜୀବ ଜେନା, ସୁମନ୍ତ ବିଶ୍ୱାଳ ଏବଂ ପ୍ରମୋଦ ଜେନାଙ୍କ ସମେତ ବହୁ ସଂଖ୍ୟାରେ ସଦସ୍ୟମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.