ରାଜ୍ୟସ୍ତରୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ରକ୍ଷଣାବେକ୍ଷଣ କର୍ମଶାଳା ତଥା ସମୀକ୍ଷା ବୈଠକ

259

ଆଗାମୀ ଗ୍ରୀଷ୍ମଋତୁରେ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ I ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବୈଠକରେ ରାଜ୍ୟର ସମସ୍ତ ୩୫ଟି ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନ୍‌କୁ ନେଇ ଏକ ରାଜ୍ୟସ୍ତରୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ରକ୍ଷଣାବେକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା I ଏଥିରେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।

ଆସନ୍ତା ୨୦୨୪ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜଳଯୋଗଁକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ଏଥିରେ ରାଜ୍ୟର ପ୍ରତିଟି ଗୃହରେ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶାନାମା ଅନୁଯାୟୀ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶତପ୍ରତିଶତ ନଳକୂପ ଓ ପାଇପ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ । ସେହିପରି ନିୟମିତ ରକ୍ଷଣାବେକ୍ଷଣକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ । ପ୍ରତ୍ୟେକ ଶନିବାର ଦିନ ପଞ୍ଚାୟତି ସମିତିରେ ପାନୀୟ ଜଳଯୋଗାଣ ସ୍ଥିତିର ନିୟମିତ ସମୀକ୍ଷା ବୈଠକ କରାଯିବାକୁ ମାର୍ଗଦର୍ଶିକାରେ ନିର୍ଦ୍ଦେଶ ଦିଆଯାଇଛି ।
ବୈଠକରୁ ଜଣାପଡ଼ିଛି ଯେ ଆଇଏମ୍‌ଏସ୍‌ ପୋର୍ଟାଲର ରିପୋର୍ଟ ଅନୁଯାୟୀ ରାଜ୍ୟର ୬୬ ପ୍ରତିଶତ ଗ୍ରାମୀଣ ଗୃହକୁ ଜଳଯୋଗାଣ ଟ୍ୟାପ୍‌ ସଂଯୋଗ ହୋଇଛି । ପ୍ରାୟ ୯୬୭୧ ଗ୍ରାମରେ ଶତପ୍ରତିଶତ ଜଳଯୋଗାଣ ଟ୍ୟାପ୍‌ ସଂଯୋଗ ହୋଇସାରିଛି ।

କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗରେ ଅନ୍ତର୍ଭୁକ୍ତ ହେବାକୁ ଥିବା ମୋଟ ୪୭,୨୭୪ଟି ଗ୍ରାମ ପାଇଁ ରାଜ୍ୟ ସରକାର ଏକ ପରିପୁଷ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି । ୩୧,୮୫୪ (୬୫%)ଟି ଗ୍ରାମରେ ମେଗା ପାଇପ୍‌ ଜଳଯୋଗାଣ ଏବଂ ୧୫୪୨୦ (୩୫%) ଗ୍ରାମ କ୍ଷୁଦ୍ର ଓ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ସମସ୍ତ ଗ୍ରାମ ପାଇଁ ୪,୭୯,୬୬୪ଟି ନଳକୂପ ଉପଲବ୍ଧ ହେଉଛି । ୩୫,୯୨୦ କୋଟି ଟଙ୍କା ବ୍ୟୟରେ ୨୦୭ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ଏହି ସମୀକ୍ଷା ବୈଠକରେ ଗ୍ରାମଗୁଡ଼ିକରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗର ଅଗ୍ରଗତି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଡିଭିଜନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

Comments are closed, but trackbacks and pingbacks are open.