ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

32

ଭୁବନେଶ୍ୱର : ରାଜ୍ୟରେ ପାଳିତ ହୋଇଯାଇଛି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଜୟନ୍ତୀ I ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା I ତାଙ୍କ ଜ୍ଞାନାଲୋକରେ କେବଳ ମୟୂରଭଞ୍ଜ ନୁହେଁ ବରଂ ସମଗ୍ର ଓଡ଼ିଶା ଆଲୋକିତ ହୋଇଥିଲା । ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ଭିତ୍ତିଭୂମିର ବିକାଶ ପାଇଁ ତାଙ୍କର ବହୁବିଧ ଉଦ୍ୟମର ତୁଳନା ନାହିଁ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର ଥିଲେ ଜଣେ ଅତ୍ୟନ୍ତ ସରଳ, ଭଦ୍ର, ଜ୍ଞାନୀ, ପ୍ରଜାବତ୍ସଳ ଓ ଦେଶପ୍ରେମୀ ସୁଶାସକ ।

ମୟୂରଭଞ୍ଜ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଭାଷା ଆନ୍ଦୋଳନ, ଅରଣ୍ୟ ଓ ଖଣିଜ ସଂପଦର ପୁନଃମୂଲ୍ୟାୟନ, ଶିଳ୍ପାୟନ ଆଦି ପ୍ରତିକ୍ଷେତ୍ରରେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୁଏ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍‌ ପ୍ରକାଶ କରିଥିଲେ । ଓଡ଼ିଶାରେ ଅନେକ ବରପୁତ୍ର ଜନ୍ମ ନେଇଛନ୍ତି । ସେମାନଙ୍କ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଅଗ୍ରଗଣ୍ୟ ।

ଓଡ଼ିଶାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ସର୍ବୋପରି ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ପ୍ରଭାବ, ପରିକଳ୍ପନା ଓ ଅବଦାନ ଅନବଦ୍ୟ ଓ ଅନନ୍ୟ । ବାସ୍ତବରେ କହିବାକୁ ଗଲେ ମାନବକଲ୍ୟାଣ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ପ୍ରକାଶ କରିଥିଲେ ।
ମହାରାଜା ଶ୍ରୀରାମଚନ୍ଦ୍ର ରାଜ୍ୟଭାର ସମ୍ଭାଳିଲା ପରେ ଶାସନ ବ୍ୟବସ୍ଥା, ଗମନାଗମନ, ପ୍ରାଥମିକ ଶିକ୍ଷା, କୃଷି ପ୍ରାୟ ସବୁକ୍ଷେତ୍ରରେ ଅନେକ ନୂତନତ୍ୱ ଓ ସଂସ୍କାର ଆଣିଥିଲେ । ସେହିପରି ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ ।

ମହାରାଜାଙ୍କ ଜୀବନୀ ଓ ତ୍ୟାଗପୂତ ଅଣଆଲୋଚିତ ଦିଗଗୁଡ଼ିକ ଉପରେ ଆଲୋକପାତ କରି ବାସ୍ତବରେ ସେ ଜଣେ ଯୁଗଜନ୍ମା ପୁରୁଷ ବୋଲି ମୁଖ୍ୟବକ୍ତା ବିଶିଷ୍ଟ ଐତିହାସିକ ତଥା ସଂସ୍କୃତି ଗବେଷକ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଉଲ୍ଲେଖ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ୧୪୦୦ ପୃଷ୍ଠାବିଶିଷ୍ଟ ସ୍ୱରଚିତ ମୟୂରଭଞ୍ଜ ଇତିହାସ ପୁସ୍ତକକୁ ବିଶିଷ୍ଟ ଅତିଥିମାନଙ୍କୁ ପ୍ରଦାନ କରିଥିଲେ । ସଭା ଆରମ୍ଭରେ ଅତିଥିମାନେ ଓଡ଼ିଶାର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରି ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଭଳି ଜଣେ ଉନ୍ନତ ଚିନ୍ତାଧାରାସଂପନ୍ନ ଏବଂ ଦୂରଦ୍ରଷ୍ଟା ଶାସକ ଓଡ଼ିଶା କାହିଁକି ବରଂ ସମଗ୍ର ଭାରତରେ ବିରଳ ବୋଲି ଉଲ୍ଲେଖ କରିଥିଲେ । ଆଜିର ଯୁବପିଢ଼ି ତାଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେଲେ ରାଜ୍ୟର ସୁନାମ ବହୁଗୁଣିତ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।

ଅଜୟ କୁମାର ମହାନ୍ତି ଓ ସାଥିଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା । ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସଂପାଦକ ଡ. ରଜନୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.