ଡାକ୍ତରମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ!: ଆଜିଠୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ

118

ଭୁବନେଶ୍ଵର: ଡାକ୍ତରମାନଙ୍କର ୧୦ ଦଫା ଦାବୀକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ଯାହାଫଳରେ ଡାକ୍ତରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ୍ତରମାନେ ବାରମ୍ବାର ଦାବୀ ଉପସ୍ଥାପନ କରୁଥିଲେ ମଧ୍ୟ ସରକାର ପ୍ରତାରଣା କରୁଥିବା ଡାକ୍ତର ସଂଘ ଅଭିଯୋଗ କରିଛି। ଏନେଇ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା) ପକ୍ଷରୁ ପୂର୍ବରୁ ଜନସାଧାରଣଙ୍କ ଅବଗତ ନିମନ୍ତେ ଏକ ଚିଠି ଜାରି କରାଯାଇଥିଲା। ଜାରି କରାଯାଇଥିବା ଚିଠିରେ ସରକାରଙ୍କୁ ଏକ ପ୍ରକାର ଚେତାବନୀ ମଧ୍ୟ ଦିଆଯାଇଥିଲା। ଦାବୀ ପୂରଣ ନହଲେ ଆଜିଠାରୁ ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ବହିର୍ବିଭାଗ ବନ୍ଦ ରହିବ ବୋଲି ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଗତକାଲି ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆଜିଠାରୁ ଡାକ୍ତରମାନେ ଏକ ଘଣ୍ଟା ବହିର୍ବିଭାଗ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଡାକ୍ତରମାନଙ୍କ ଏହି ନିଷ୍ପତ୍ତି ଏବେ ଜନସାଧାରଣ ପାଇଁ ଚିନ୍ତା ବଢାଇଦେଇଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ବ୍ୟସ୍ତ ହୋଇପଡିଥିବା ଦେଖାଦେଇଛି। ଯଦି ଏଭଳି ପ୍ରତ୍ୟେକ ଦିନ ଜାରି ରୁହେ, ତେବେ ରୋଗୀଙ୍କ ପାଇଁ ସମସ୍ୟା ବଢିବ ବୋଲି ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ଅବାଧ ଓ ଜନ ସ୍ଵାର୍ଥକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶରେ ଓମସା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ଆଲୋଚନା ସକାରତ୍ମକ ରହିଛି। ଓମସା ର ଦାବିକୁ ସମ୍ମାନ ଜଣାଇ ଏକ କମିଟି ଗଠନ କରାଯାଇ ସକାରାତ୍ମକ ପଦକ୍ଷେପ ନିଆଯିବ। ତେବେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେଇ ଆନ୍ଦୋଳାନରୁ ନିବୃତ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଓମସାକୁ ଅନୁରୋଧ କରିଛନ୍ତି।

Comments are closed, but trackbacks and pingbacks are open.