ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

18

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ, ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ । ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିଲେ ଦେଶ ପ୍ରଗତି କରିପାରିବ ବୋଲି ସେ ପ୍ରକାଶ କରିଥିଲେ । ସେହିପରି ବିଭାଗୀୟ ସଚିବ ଅଶ୍ୱଥୀ. ଏସ୍ କହିଥିଲେ ଯେ ପିଲାମାନଙ୍କୁ ଏକ ଆନନ୍ଦମୟ ପରିବେଶରେ ଶିକ୍ଷାଦାନ କରିବା ଦ୍ୱାରା ସେମାନଙ୍କର ଶିକ୍ଷଣ ଦୀର୍ଘସ୍ଥାୟୀ ହୋଇଥାଏ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷାୟତନର ମୂଳଲକ୍ଷ୍ୟ । ଏହାକୁ ସଫଳ କରିବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ହୋଇ ସହଯୋଗ ଓ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ । ଶିକ୍ଷା ଭିତ୍ତିଭୂମିର ରୂପାନ୍ତରୀକରଣ ଆଜି ପିଲାମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁରୁ ସୃଜନୀ କଳା, ମନର ଚିତ୍ରକୁ ମାଟିରେ ରୂପଦେବା, ଚିତ୍ରକଳା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି ଉପରେ କର୍ମଶାଳା କରାଯାଇଛି । ଏତଦ୍‌ବ୍ୟତୀତ ଏହି ପ୍ରଦର୍ଶନୀରେ ଶିକ୍ଷା ସମ୍ପର୍କିତ ୨୪ଟି ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପିଲାମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତି ବିଭାଗ ପାଇଁ ଜିଲ୍ଲାସ୍ତରରେ ଜଣେ ଲେଖାଏଁ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ତିନିଦିନିଆ ରାଜ୍ୟସ୍ତରୀୟ ଉତ୍ସବରେ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ସୃଜନଶୀଳ ଲିଖନ ପାଇଁ ୭ ଜଣ, ଚିତ୍ରାଙ୍କନ ନିମନ୍ତେ ୭ ଜଣ ଓ ଶ୍ରୁତଲିଖନ ଏବଂ ହସ୍ତାକ୍ଷର ପାଇଁ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Comments are closed, but trackbacks and pingbacks are open.