୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କର: ମୁଖ୍ୟମନ୍ତ୍ରୀ

23

ଭୁବନେଶ୍ୱର: ରାଜ୍ୟରେ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ କମିଶନଙ୍କୁ ଅନୁରୋଧ କରାଯାଇଛି । ଏହି ପଦବୀଗୁଡ଼ିିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ । ଏହି ସୂଚନା ଦେଇଛନ୍ତି ମୁୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହିତ କ୍ଷୀପ୍ରଗତିରେ ପୂରଣ କରାଯାଉଛି । ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା । ଏବେ ଆଉ ୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ବିଶେଷକରି ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍‌), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଛି । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି । କମ୍ପୁଟର, ଇଣ୍ଟର୍‌ନେଟ୍ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡ଼ିିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.