ମଦ ଦୁର୍ନୀତିରେ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ଗିରଫ

34

ପୁଣି କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ । ଶୁକ୍ରବାର ଦିନ ଇଡି ଦିଲ୍ଲୀ ମଦ ଦୁର୍ନୀତିରେ ଜଡ଼ିତ ଥିବା ‘ୱାଇଏସ୍‌ଆର୍ସିପି’ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ମଙ୍ଗୁଟା ରାଘବଙ୍କୁ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି । ଜାତୀୟ ରାଜଧାନୀରେ ମଦ ବ୍ୟବସାୟ ସଂକ୍ରାନ୍ତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କୁ ଭେଟିଥିଲେ ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ଉଲ୍ଲେଖ କରିଛି । ସେପ୍ଟେମ୍ବର ମାସରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଚେନ୍ନାଇର ଟି. ନଗରସ୍ଥିତ ଗୋଟାଏ ଅଡିଟ୍ ଫାର୍ମରେ ଚଢ଼ାଉ କରିଥିଲା ।

ଉକ୍ତ ଫାର୍ମ ‘ୱାଇଏସ୍‌ଆର୍ସିପି’ର ସାଂସଦ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ସହିତ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଇଥିଲା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍’ଙ୍କ କନ୍ୟା କେ. କବିତାଙ୍କ ପୂର୍ବତନ ଅଡିର୍ଟ ବୁଟ୍‌ଚିବାବୁ ଗୋରାନ୍ତ୍‌ଲାଙ୍କୁ ‘ସିବିଆଇ’ ଗିରଫ କରିବାର କେତେ ଦିନ ପରେ ଆଜି ଏହି ମାମାଲାରେ ମଙ୍ଗୁଟା ରାଘବଙ୍କୁ ଗିରଫ କରାଯାଇଛି । ବୁଟ୍‌ଚିବାବୁ ଗୋରାନ୍ତ୍‌ଲା ହେଉଛନ୍ତି ତେଲେଙ୍ଗାନାରେ ବାସ କରୁଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ । ସେ କଥା ଏଡ଼ାଇବା ସହିତ ତଦନ୍ତକାରୀଙ୍କୁ ଅସହଯୋଗ କରୁଥିଲେ ବୋଲି ‘ସିବିଆଇ’ କହିଥିଲା ।

ଏହା ପୂର୍ବରୁ ଏହି ମାମଲାରେ ଡିସେମ୍ବର ୧୨ ତାରିଖ ଦିନ ‘ସିବିଆଇ’ ଟିମ୍ ହାଇଦ୍ରାବାଦରେ କେ. କବିତାଙ୍କୁ ୭ ଘଣ୍ଟା ଜେରା କରିଥିଲା । ଏବେ ସୁଦ୍ଧା ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦୁଇଟି ଚାର୍ଜସିଟ୍ ଦାଖଲ କରି ସମୁଦାୟ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ‘ସିବିଆଇ’ ଏବଂ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଙ୍କ ଅଭିଯୋଗ ପତ୍ରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସରକାରଙ୍କ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ଏହି ମାମଲାର ଅଭିଯୁକ୍ତ ବୋଲି ଦର୍ଶାଇଛି ।

Comments are closed, but trackbacks and pingbacks are open.