ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

63

ଭୁବନେଶ୍ୱର:ଧୋଇଗଲା ବିଧାନସଭାର ତୃତୀୟ ଦିନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଷୁନା ଚାଉଳ ଓ ପରି ହତ୍ୟା ମାମଲା ପ୍ରସଙ୍ଗରେ କମ୍ପିଥିଲା ଗୃହ। ବିରୋଧୀଙ୍କ ହାଇ ଡ୍ରାମା ମଧ୍ୟରେ ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଥିଲେ। ଯାହା ପରେ ଗୃହକୁ ପୁଣି ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଶ୍ନକାଳ ଆରମ୍ଭରୁ ବିଜେପି ଓ ବିଜେଡି ବିଧାୟକ ଗୃହରେ ହଟ୍ଟଗୋଳ କରିଛନ୍ତି । ଫଳରେ ପ୍ରଥମେ ଦିନ ୧୧ଟା ୩୦ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ଏହାପରେ ଶୁନ୍ୟକାଳ ଆରମ୍ଭ ହେବା ମାତ୍ରେ ପୁଣି ସମାନ ପ୍ରସଙ୍ଗ ଉଠାଇ ବିଜେଡି ଓ ବିଜେପି ସଦସ୍ୟମାନେ ହଙ୍ଗାମା କରିଥିଲେ । ପରେ ବାଚସ୍ପତି ଗୃହକୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ସାଢ଼େ ୧୨ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ସମାନ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ଏହାପରେ ବିଧାୟକ ନାଉରୀ ନାଏକଙ୍କ କାର୍ଯ୍ୟକଳାପ ପରେ ଆହୁରି ୧ ଘଂଟା ପାଇଁ ଗୃହକାର୍ଯ୍ୟ ମୁଲତବି ଘୋଷଣା କରାଯାଇଥିଲା। ବିରୋଧି ଅର୍ପଣ ରଥରେ ଆସିଥିବା ଅରୁଆ ସହ ଉଷୁନା ଚାଉଳକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା।

ସେପଟେ ବିରୋଧୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ପାଇଁ ଶାସକ ଦଳ ମଧ୍ୟ ଚୁପ୍ ରହିନଥିଲା। ଗୃହରେ ଉଠିଥିଲା ପରୀ ପ୍ରସଙ୍ଗ। ଯେଉଁଥିରେ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ, ମୋହନ ମାଝୀ ପ୍ରମୁଖ ନେତା ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେଡି। ବିଜେଡି କହିଛି ମାମଲାର ତଦନ୍ତ ହୋଇଛି। ଦୋଷୀକୁ ଉଚିତ୍ ଦଣ୍ଡ ମିଳିଛି। ପୂର୍ବରୁ ବିରୋଧି ଦଳର ନେତାମାନେ ଦେଇଥିବା ମନ୍ତବ୍ୟକୁ ନେଇ ଓଡ଼ିଶାବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବାର ଆବଶ୍ୟକତା ଅଛି। ଗୃହ ମୁଲତବି ହେବା ପରେ ଗାନ୍ଧୀ ପ୍ରତିମୂର୍ତି ତଳେ ବ୍ୟାନର ଧରି ଧାରଣା ଦେଇଥିଲେ ବିଜେଡି ବିଧାୟକ ।

ସେପଟେ ଏହି ଘଟଣା ଯୋଜନାବଦ୍ଧ ଭାବେ ରାଜ୍ୟ ସରକାର ତଥା ଅରୁଣ ସାହୁ ପରୀ ମାମଲାରେ ଜଡିତ ଥିବା କହିଛନ୍ତି ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ।

Comments are closed, but trackbacks and pingbacks are open.