ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

49

 ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଅର୍ଥାତ ମେ ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଛୁଇଁଛି । ମୌସୁମୀ ସାଧାରଣତଃ ମେ ୨୦-୨୨ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ, କିନ୍ତୁ ଏବର୍ଷ ସପ୍ତାହେ ବିଳମ୍ବରେ ଆଣ୍ଡାମାନ ଛୁଇଁଛି । ଏଣୁ କେରଳ ଛୁଇଁବାକୁ ଆହୁରି ଏକ ସପ୍ତାହ ଲାଗିପାରେ ।

ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି  ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଆଉ କିଛି ଅଂଶ, ସମଗ୍ର ଆଣ୍ଡାମାନ ଓ ନିକୋବର, ସମଗ୍ର ଆଣ୍ଡାମାନ ସାଗରକୁ ମେ ୩୦ ତାରିଖରେ ଛୁଇଁଛି । ଆଗାମୀ ୨-୩ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ମାଳଦ୍ବୀପ, କମୋରିନ ଅଂଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଂଶ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଅବଶିଷ୍ଟ ଅଂଶ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଂଶକୁ ଛୁଇଁବା ନିମନ୍ତେ ପରିସ୍ଥିତି ଅନୁକୂଳ ରହିଛି । ମୌସୁମୀ ଜୁନ ୪ରେ କେରଳ ଛୁଇଁବ ବୋଲି କିଛି ଦିନ ତଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ଏଥିରେ ଆହୁରି ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି ।

ଅନ୍ୟପକ୍ଷରେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ରିପୋର୍ଟ ଅନୁସାରେ ମୌସୁମୀର ଗତି ଧୀମା ରହିଛି । ଏହି ଗତିରେ ଚାଲିଲେ ମୌସୁମୀ କେରଳ ଛୁଇଁବାକୁ ଆହୁରି ଏକ ସପ୍ତାହରୁ ଅଧିକ ସମୟ ଲାଗିବ । ଏଣୁ ଓଡ଼ିଶା ଆସିବା ପାଇଁ ଆହୁରି ଏକ ସପ୍ତାହ ( ଜୁନ ୧୨-୧୩ ସୁଦ୍ଧା) ଲାଗିଯାଇପାରେ ।

Comments are closed, but trackbacks and pingbacks are open.