ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା ହାଇକୋର୍ଟ ରେ କେଶ ଦାୟର : ସିବିଆଇ କିମ୍ବା ଏସଆଇଟି ଦ୍ୱାରା ତଦନ୍ତ ହେଉ

18

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଅଢ଼େଇ ମାସ ପୂରି ଗଲାଣି । ଏହି ମାମଲାର ତଦନ୍ତ ଦାୟିତ୍ୱ ପ୍ରଥମେ ପାରଳା ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ଫଳ ଶୂନ I ଏ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ଅନ୍ଧାର ରେ ରଖି ଭୂୟାଁ ବୁଲାଯାଉଛି କିନ୍ତୁ ମୃତ୍ୟୁ ଉପରୁ ପରଦା ହଟିନାହିଁ I ଏହି ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ସିବିଆଇ କିମ୍ବା ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା (ଏସଆଇଟି)କୁ ଦେବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଅଭିରାମ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପୁଅ ଗତବର୍ଷ ଡିସେମ୍ବର ୧ରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ବିବାହର ଅଳ୍ପ କିଛିଦିନ ପରେ ତାଙ୍କ ବୋହୂଙ୍କ ସହିତ ଡିଏଫଓଙ୍କର ଅନୈତିକ ସଂପର୍କ ଗଢ଼ି ଉଠିଥିଲା । ଏନେଇ ସୌମ୍ୟ ପ୍ରତିବାଦ କରିଥିଲେ ହେଁ ବିଦ୍ୟାଭାରତୀ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଗତ ଜୁଲାଇ ୧୩ ତାରିଖରେ ସୌମ୍ୟଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଏନେଇ ସେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ତେବେ ଏହି ମାମଲାକୁ ଅଢ଼େଇ ମାସ ପୂରିଥିଲେ ହେଁ କାହାରିକୁ ଗିରଫ କରାଯାଇନାହିଁ । ଏହି ଘଟଣାରେ ଉଚ୍ଚପଦସ୍ଥ ସରକାରୀ ଅଫିସରଙ୍କ ହାତ ଥିବାରୁ ତଦନ୍ତକୁ ଜାଣିଶୁଣି ବାଟବଣା କରାଯାଉଛି । ସେ ମାମଲାରେ ଗୃହ ବିଭାଗ ସଚିବ, କ୍ରାଇବ୍ରାଞ୍ଚ ଏଡିଜି, ସିବିଆଇ ନିର୍ଦ୍ଦେଶକ, ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଅଭିରାମ ପିଟିସନରେ କହିଛନ୍ତି । ନିକଟରେ ୩ ଅଭିଯୁକ୍ତ ଯଥା ଡିଏଫଓ,ରୋଷେୟା ମନ୍ମମଥ କୁମ୍ଭ ଓ ସୌମ୍ୟ ଙ୍କ ପତ୍ନୀ ବିଦ୍ୟାଭାରତୀ ଙ୍କର ଲାଇଡିଟେକ୍ସନ ଟେଷ୍ଟ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଇଛି ,କିନ୍ତୁ କ୍ରାଇମବ୍ରାଞ୍ଚ ତରଫରୁ କୌଣସି ତଥ୍ୟ ପ୍ରକାଶ କରାଯାଇ ନ ଥିବାରୁ ପରିବାର ଲୋକେ ଆପତ୍ତି ଉଠାଇଛନ୍ତି I

Leave A Reply

Your email address will not be published.