ନୃଶଂସ ଜ୍ୱାଇଁ: ଶ୍ୱଶୁର ଘରେ କଇଁଚିରେ ଭୁଶି ପତ୍ନୀକୁ କଲା ହତ୍ୟା

27

ଉଦଳା : ୨୨-୧୧ (ପି.ଏନ.ଏ): ଶ୍ୱଶୁର ଘର ବୁଲିବାକୁ ଆସି ଜ୍ୱାଇଁ ଘଟିଲା ନାରକୀୟ କାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ପେଟରେ କଇଁଚି ଭୁଷି ହତ୍ୟା କଲା ସ୍ୱାମୀ । ଏଭଳି ନାରକୀୟ କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଧୀନ ହିଞ୍ଜିଳିଗଡ଼ିଆ ଗାଁରେ । ମୃତା ମହିଳାଜଣକ ହେଲେ ସୁହାଗି ମୁର୍ମୁ । ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ମଧୁସୁଦନ ମୁର୍ମୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁସାରେ ବିସିପୁର ଅଞ୍ଚଳର ମଧୁସୂଦନ ମୁର୍ମୁ ନିଜ ସ୍ତ୍ରୀ ସୁହାଗି ମୁର୍ମୁଙ୍କ ସହିତ ହିଞ୍ଜିଳଗଡିଆ ସ୍ଥିତ ଶ୍ୱଶୁର ଘରକୁ ବୁଲି ଯାଇଥିଲେ । ମଧୁସୂଦନ ଓ ସୁହାଗୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଶ୍ୱଶୁର ଘରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ଉତ୍ତ୍ୟକ୍ତ ମଧୁସୂଦନ ଘଟାଇଲେ ନାରକୀୟ କାଣ୍ଡ । ଏକ କଇଁଚିରେ ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଭୁଷି ଦେଇଥିଲେ। ଝିଅର ଚିତ୍କାର ଶୁଣି ପରିବାର ଲୋକେ ଉଠି ତାଙ୍କ ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଡୁକୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ କରିବା ସହ ମଧୁସୂଦନଙ୍କୁ ଅଟକ ରଖି ପଚରାଉଚରା କରୁଛି।

Comments are closed, but trackbacks and pingbacks are open.