ଅନଲାଇନ୍‌ ଟ୍ରେଡିଂ ରେ ହାରି ସଫ୍ଟୱେର ଇଂଜିନିୟର ଙ୍କ ଆତ୍ମହତ୍ୟା

23

( “ମା’ ବାବା ମୋତେ କ୍ଷମା କରିଦେବ । ମୁଁ ମୋ ଜୀବନରେ ତମମାନଙ୍କ ସହ ଏପରି କରିବି ବୋଲି ଭାବି ନ ଥିଲି। ମୋ ପରିସ୍ଥିତି ମୋତେ ଏପରି କରିବାକୁ ବାଧ୍ୟ କଲା। ମୁଁ ତୁମକୁ ଖୁସି ଦେଇପାରିଲିନି )
ବାପା ମା’ଙ୍କ ପାଇଁ ଶେଷ ଚିଠି ଲେଖି ଜୀବନ ହାରିଛନ୍ତି ସଫ୍ଟୱେର ଇଂଜିନିୟର ସୌମିତ୍ର ନନ୍ଦୀ । ଅନଲାଇନ ଗେମ ଖେଳି କିଶୋର ମାନେ ବିପଥ ଗାମୀ ହୋଇ ଆତ୍ମହତ୍ୟା କରୁଥିବା ନଜରକୁ ଆସିଥିଲା I ଅନଲାଇନ ସେୟାର ଟ୍ରେଡିଂ ମଧ୍ୟ ଏକ ପ୍ରକାର ଗେମ ବା ଜୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ I ଏଥିରେ ଟଙ୍କା ଲଗାଇ ଜିତିଗଲେ ରାତାରାତି କୋରଡ଼ପତି ନ ହେଲେ ରୋଡ଼ ପତି ହେବାକୁ ସମୟ ଲାଗେ ନାହିଁ I ଏହି ଅନଲାଇନ ନିଶା ଯେ କେତେ ମାରାତ୍ମକ ହେଇପାରେ ତାହା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଆମ୍ବିଳିଅଠା ଗାଁ ର ଜଣେ ପଢ଼ାଲେଖା ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ପରେ ଘଟଣା ସାମ୍ନାକୁ ଆସିଛି I

ଘଟଣାନୁସାରେ ଜଳେଶ୍ୱର ବ୍ଲକର ନଛିମପୁର ପଂଚାୟତ ଆମ୍ବିଳିଅଠା ଗାଁର ସୂରୂପ କୁମାର ନନ୍ଦୀଙ୍କ ପୁଅ ସୌମିତ୍ର ନନ୍ଦୀ । ପୁଣେ ସ୍ଥିତ ଇନଫୋସିସରେ ସିଷ୍ଟମ ଇଂଜିନିୟର ଭାବେ ଚାକିରି କରୁଥିଲେ । କୋଭିଡ ଯୋଗୁଁ ଦୁଇ ବର୍ଷ ହେବ ଘରୁ ରହି କାମ କରୁଥିଲେ ଇ ତେବେ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ୩ ଜଣ ସାଙ୍ଗଙ୍କ ପ୍ରରୋଚନାରେ ସୌମିତ୍ର ଅନଲାଇନ୍ ଟ୍ରେଡିଂ ଓ ଜୁଆ ପ୍ରତି ଆକର୍ଷିତ ହୋଇ ପଇସା ଲଗାଇଥିଲେ । ସୌମିତ୍ରଙ୍କ ମୋବାଇଲରେ ତାଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇଥିବା ବେଳେ ଉକ୍ତ ଆକାଉଣ୍ଟରୁ ଟ୍ରେଡିଂ କରାଯାଉଥିଲା । ଫଳରେ ଲାଭ ହେଲେ ସବୁ ସାଙ୍ଗ ନେଉଥିବା ବେଳେ ଆର୍ଥିକ କ୍ଷତି କିନ୍ତୁ ସୌମିତ୍ରଙ୍କୁ ଭରଣା କରିବାକୁ ପଡୁଥିଲା । ଏହାପରେ ସାଙ୍ଗସାଥୀଙ୍କ ଠାରୁ ଧାର କରି ପ୍ରାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ଭାରରେ ବୁଡ଼ିଯାଇଥିଲେ ସୌମିତ୍ର । କିନ୍ତୁ ସାଙ୍ଗ ମାନଙ୍କର ଉଦ୍ଧାର ଟଙ୍କା ସୁଝି ନ ପାରିବାରୁ ଜଳେଶ୍ୱର ଥାନାରେ ତାଙ୍କ ନାଁ ରେ ମାମଲା ରୁଜୁ ହୋଇଥିଲା I ତେବେ ଶେଷରେ ତାଙ୍କ ବାପା ଜାଗା ବାଡ଼ି ବିକି ପ୍ରାୟ ୨୦ ଲକ୍ଷ ଟଙ୍କା ଶୁଝିଦେଇଥିଲେ ।
କିନ୍ତୁ ବାକି ଟଙ୍କା ଫରାଇବା ପାଇଁ ଭୁବନେଶ୍ୱର ରେ ଜଣେ ସାଙ୍ଗ ତାଙ୍କ ନାଁ ରେ ଗତ ୧୧ ତରିଖ ଦିନ ଥାନାରେ ଥାନାରେ କେଶ ଦେଇଥିଲେ I ଏହାପରେ ଜଳେଶ୍ୱର ଆଇଆଇସି ସୌମିତ୍ରଙ୍କୁ ଥାନାକୁ ଡାକିବା ସହିତ ତାଙ୍କୁ ଗାଳି ଗୁଲଜ କରି ତାଙ୍କ ମୋବାଇଲ ଓ ଲାପଟପ ଜବତ କରିଥିଲା । ଥାନାରୁ ଫେରିବା ପରେ ସୌମିତ୍ର ମାନସିକ ଚାପଗ୍ରସ୍ଥ ଥିଲେ । ମଙ୍ଗଳବାର ସକାଳେ କୀଟନାଶକ ପିଇ ଦେଇଥିଲେ ସୌମିତ୍ର । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ କଟକ ଏସସିବିକୁ ଅଣାଯାଇଥିଲେ କିନ୍ତୁ ଶେଷରେ ସେ ଆଖିବୁଜିଥିଲେ I

Comments are closed, but trackbacks and pingbacks are open.