ସୋଆ ଆଇଡିଏସ୍ ପ୍ରଫେସର ଜାତୀୟ ସଂସ୍ଥାର ସଭାପତି ନିର୍ବାଚିତ
ଭୁବନେଶ୍ୱର, ସେପ୍ଟେମ୍ବର ୨୪: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍ଟିଭ୍ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଶାନ୍ତ ମହାନ୍ତି ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ୍ସ ଆଣ୍ଡ ପ୍ରିଭେନ୍ଟିଭ୍ ଡେଂଟିଷ୍ଟ୍ରି (ଆଇଏସ୍ପିପିଡି)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ନିକଟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଆଇଏସ୍ପିପିଡିର ୪୭ତମ ଜାତୀୟ ସମ୍ମିଳନୀରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂବତର୍ନ ସଭାପତି ପ୍ରଫେସର ସୁଧୀନ୍ଦ୍ର ବାଲିଗାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଇଏସ୍ପିପିଡିର ସମ୍ମାନିତ ମହାସଚିବ ପ୍ରଫେସର (ଡାକ୍ତର) ବରିନ୍ଦର ଗୋୟଲ ତାଙ୍କୁ ଔପଚାରିକ ଭାବେ ପଦବୀରେ ଅଭିଷିକ୍ତ କରିଥିଲେ ।
ସଭାପତି ଭାବେ ନିଜର ଅଭିଭାଷଣରେ ପ୍ରଫେସର (ଡାକ୍ତର) ମହାନ୍ତି ଆଇଏସ୍ପିପିଡି ସମ୍ପର୍କରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବା ସହ ମାତୃ ଓ ସମୁଦାୟ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପ୍ରସୂତି ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଧିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜୋର ଦେଇଥିଲେ ।
ଜଣେ ଗର୍ଭବତୀ ମହିଳାଙ୍କୁ ମୁଖ ଓ ସାଧାରଣ ସ୍ୱାସ୍ଥ୍ୟ ପାଇଁ ଅଲଗା ଅଲଗା ବ୍ୟବସ୍ଥାର ଆଶ୍ରୟ ନେବାକୁ ପଡ଼ିବା ଉଚିତ ନୁହେଁ ବୋଲି ସେ କହିଥିଲେ । ମାତୃ ମୁଖ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସହ ଏହା ଶିଶୁର ଭବିଷ୍ୟତ ମୁଖ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ସେ ମତ ଦେଇଥିଲେ । ଗବେଷଣା ନେଇ ପ୍ରାଥମିକତା ଜାତୀୟ ଓ ଆଂଚଳିକ ଆବଶ୍ୟକତା ଉପରେ ଆଧାରିତ ହେବା ଆବଶ୍ୟକ ବୋଲି ପ୍ରଫେସର (ଡାକ୍ତର) ମହାନ୍ତି କହିଥିଲେ । ବିଶେଷ କରି ଯେଉଁ କ୍ଷେତ୍ରରେ ପ୍ରମାଣଭିତିକ ତଥ୍ୟର ଅଭାବ ରହିଛି ଏବଂ ଯାହା ନୀତି ନିର୍ଦ୍ଧାରଣ ଓ ଚିକିତ୍ସା ପ୍ରଣାଳୀରେ ପରିବର୍ତନ ଆଣିପାରିବ ସେହି କ୍ଷେତ୍ରରେ ଗବେଷଣାକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ ।
ଏକାଧିକ ମୁଖ ସ୍ୱାସ୍ଥ୍ୟ ସମସ୍ୟା ଥିବା ଶିଶୁଙ୍କୁ ଜେନେରାଲ୍ ଆନେସ୍ଥେସିଆ ଅଧୀନରେ ସମନ୍ୱିତ ଓ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଏକାଧିକ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁଙ୍କୁ ଖଣ୍ଡ ଖଣ୍ଡ ଭାବେ ଚିକିତ୍ସା କରାଯିବା ପରିବର୍ତେ ଏକାସାଙ୍ଗରେ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ । ଏଭଳି ମାମଲା ଇଂଟର୍ଣ୍ଣ ଓ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ରୋଗ ନିରୂପଣ, ଚିକିତ୍ସା ଯୋଜନା ପ୍ରସ୍ତୁତି ଏବଂ ବହୁବିଭାଗୀୟ ଚିକିତ୍ସା ପରିଚାଳନା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ଉତମ ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଥିଲେ ।
Comments are closed, but trackbacks and pingbacks are open.