ଓଡ଼ିଶାରେ କ୍ଷୁଦ୍ର ଶିଳ୍ପ ସଂସ୍ଥା ଗୁଡିକ ସଂକଟରେ , ଶିଳ୍ପ ସଂଘ ଦାବି କଲା ବେଲ୍ ଆଉଟ ପ୍ୟାକେଜ

20

ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ସ୍ଥିତି ବେଶ ଦୟନୀୟ ହୋଇପଡ଼ିଛି । କରୋନାରେ ଭୁଷୁଡ଼ି ପଡ଼ିଥିବା ଛୋଟ ଶିଳ୍ପ ଏପର୍ଯ୍ୟନ୍ତ ଅଣ୍ଟା ସଳଖି ପାରୁନାହାନ୍ତି। ଆଉ ବ୍ୟାଙ୍କଗୁଡ଼ିକ ମଧ୍ୟ ବୋଝ ଉପରେ ନଳିତ ବିଡ଼ା ଭଳି ଏମଏସଏମଇ କ୍ଷେତ୍ରକୁ ଋଣ ଦେଉନାହାନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୁଡ଼ିକ ପାଇଁ ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ଉତ୍କଳ ବାଣିଜ୍ୟ ଓ ଶିଳ୍ପ ସଂଘ(ୟୁସିସିଆଇ) ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇ ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଇଜ୍ ଅଫ ଡୁଇଙ୍ଗ୍ ବିଜିନେସ୍ ଠିକ୍ ନଥିବାରୁ ବାହାର ରାଜ୍ୟର ନିବେଶକ ଆସୁନାହାନ୍ତି। ରାଜ୍ୟ ସରକାର ତୁରନ୍ତ ଇଜ୍ ଅଫ ଡୁଇଙ୍ଗ୍ ବିଜିନେସକୁ ଅଧିକ କାର୍ଯ୍ୟକ୍ଷମ କରନ୍ତୁ । ବ୍ୟାଙ୍କମାନେ ଠିକ୍ ଭାବେ ଋଣ ଦେଉନଥିବାରୁ କରୋନାରେ କ୍ଷତିଗ୍ରସ୍ତ ଶିଳ୍ପ ଉଠି ପାରୁନାହାନ୍ତି। ଛୋଟ ଶିଳ୍ପକୁ ବ୍ୟାଙ୍କଗୁଡ଼ିକ ଋଣ ଦିଅନ୍ତୁ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ। କ୍ଷୁଦ୍ର ଶିଳ୍ପଗୁଡ଼ିକର ଦୟନୀୟ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, କ୍ଷୁଦ୍ର, ଛୋଟ ଓ ମଧ୍ୟମ ଶିଳ୍ପ ସଂସ୍ଥାକୁ ବ୍ୟାଙ୍କଗୁଡ଼ିକ ଋଣ ଦେଉନଥିବାରୁ ସ୍ଥିତି ଅଧିକ ବିପର୍ଯ୍ୟସ୍ତ ହେବାରେ ଲାଗିଛି। କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଏମଏସଏମଇ କ୍ଷେତ୍ରର ଶିଳ୍ପ ସଂସ୍ଥାଗୁଡ଼ିକକୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । କରୋନା ଯୋଗୁ ଏମଏସଏମଇ କ୍ଷେତ୍ର ଅଧିକ ବିପର୍ଯ୍ୟସ୍ତ ହୋଇଥିବାରୁ ପୁଣିଥରେ ଅଣ୍ଟା ସଳଖି ଚାଲିବା ପାଇଁ ସେମାନଙ୍କ ପାଖରେ ପୁଞ୍ଜି ନାହିଁ । ଏପଟେ ବ୍ୟାଙ୍କଗୁଡ଼ିକ ବି ଋଣ ଦେଉନାହାନ୍ତି । ଏଭଳି ସ୍ଥିତିରେ ସରକାର ଆଗକୁ ଆସି କିଛି ପଦକ୍ଷେପ ନେବା ଜରୁରୀ । ଯଦି ସରକାର ତୁରନ୍ତ କିଛି ପଦକ୍ଷେପ ନନେବେ, ତା’ହେଲେ ଖୁବଶୀଘ୍ର ଏହି କ୍ଷୁଦ୍ର ଶିଳ୍ପଗୁଡ଼ିକ ସବୁଦିନ ପାଇଁ ବୁଡ଼ିଯିବ । ଅନ୍ୟ ରାଜ୍ୟଗୁଡ଼ିକ ‘ଇଜ୍ ଅଫ ଡୁଇଙ୍ଗ ବିଜିନେସ’ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଆମ ରାଜ୍ୟରେ ସେଭଳି ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଛୁ । ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକକୁ ଚଳାଇବାରେ ସହଯୋଗ ଦେବେ ବୋଲି ୟୁସିସିଆଇ ଆଶାବାଦୀ ଅଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇର ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ଯେ, ଇଜ୍ ଅଫ ଡୁଇଙ୍ଗ ବିଜିନେସରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଓଡ଼ିଶାରେ ପାଳନ କରାଯାଉନାହିଁ । ଯାହାଫଳରେ ଅନ୍ୟ ରାଜ୍ୟର ଶିଳ୍ପପତି ଓ ନିବେଶକମାନେ ଓଡ଼ିଶାରୁ ପଳାୟନ କରୁଛନ୍ତି । ଅବଶ୍ୟ ଶିଳ୍ପ ସଂସ୍ଥାଗୁଡ଼ିକର ଇସ୍ପାତ ଉତ୍ପାଦନ ନିମନ୍ତେ କୋଇଲା ଆବଶ୍ୟକତାକୁ ପୂରଣ କରିବା ଦିଗରେ ପଦକ୍ଷେପ ନେଇଥିବାରୁ ୟୁସିସିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave A Reply

Your email address will not be published.