ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ କୃଷି ଯନ୍ତ୍ରପାତି ମରାମତି ନିମନ୍ତେ ଦକ୍ଷତା ବୃଦ୍ଧି ତାଲିମ ଶିବିର

17

ଭୁବନେଶ୍ୱର : କୃଷି କାର୍ଯ୍ୟରେ ଉନ୍ନତ ଯନ୍ତ୍ରପାତିର ବ୍ୟବହାର ନିମନ୍ତେ ଅନୁଷ୍ଠିତ ହୋଇ ଯାଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ I ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଶିକ୍ଷିତ ଏବଂ ବେରୋଜଗାର ଯୁବକଯୁବତୀ ଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆଜି ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ତଥା ନିଗମ ପକ୍ଷରୁ ରାଜ୍ୟର ବେରୋଜଗାର ଶିକ୍ଷିତ ଯୁବକଯୁବତୀଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ବିନା ଦେୟରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ କରାଯାଉଛି । ଏହା ଦ୍ୱାରା ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହିତ ଚାଷୀମାନେ ସୁବିଧାରେ କୃଷି ଯନ୍ତ୍ରପାତି ଯଥା ଟ୍ରାକଫର, ପାୱାର ଟିଲର, ପମ୍ପସେଟ୍‌, ରିପର୍ସ ପାୱାର ଉଇଡର୍‌ ଆଦି ମରାମତି କରାଇପାରିବେ । ଏଥି ପାଇଁ ଚାଷୀମାନଙ୍କୁ ଆଉ ସହରକୁ ଯିବାକୁ ପଡ଼ିବ ନାହିଁ ।

ନିଗମ ପକ୍ଷରୁ ଏପରି ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଚାଷୀମାନଙ୍କ ନିମନ୍ତେ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ନିଗମର ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ବେଜ୍‌, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧାରୀ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ପ୍ରମୁଖ ମତପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ନିଗମ ପକ୍ଷରୁ ୧୮୦ ଜଣ ଯୁବକଯୁବତୀଙ୍କୁ ୬ଟି ବ୍ୟାଚ୍‌ରେ ତାଲିମ ପ୍ରଦାନ କରାଯିବ । ପ୍ରତି ବ୍ୟାଚ୍‌ରେ ୩୦ ଜଣ ଲେଖାଏଁ ଯୁବକଙ୍କୁ ୧୨ ଦିନ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଗତବର୍ଷ ମଧ୍ୟ ନିଗମ ଦ୍ୱାରା ରାଜ୍ୟର ୧୨୦ ଜଣ ବେରୋଜଗାର ଓ ଶିକ୍ଷିତ ଯୁବକଯୁବତୀଙ୍କୁ ବିନାଦେୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସୋନାଲିକା, କାମ୍‌କୋ, ଭିଏସ୍‌ଟି, ହୋଣ୍ଡା, କିର୍ଲୋସ୍କାର ବ୍ରଦର୍ସ, ଓଡ଼ିଶା ଫାର୍ମ ମେସିନାରୀ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ସେଣ୍ଟର, ଭୁବନେଶ୍ୱର ଆଦି ଅନୁଷ୍ଠାନର ବୈଷୟିକ ଅଧିକାରୀଙ୍କ ଦ୍ୱାରା ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୨୧୦୦ଟି ଟ୍ରାକଫର, ୬୦୦ଟି ପାୱାର ଟିଲର୍‌ ବିକି୍ର ନିମନ୍ତେ ଓ ୬୯୨୫ଟି ମାଇକ୍ରୋ ରିଭର ଲିଫ୍‌ଟ୍‌ ପ୍ରକଳ୍ପ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ୨୦୨୨-୨୩ ଆର୍ଥିକ ବର୍ଷରେ ନିଗମ ପକ୍ଷରୁ ୩ଟି ଜିଲ୍ଲାରେ ୭୪୬୭ଟି ନୂତନ କ୍ଲଷ୍ଟର ମାଇକ୍ରୋ ରିଭର ଲିଫଟ୍‌ ପ୍ରକଳ୍ପ ଏବଂ ୨୪୦ଟି କ୍ଲଷ୍ଟର ସୋଲାର ରିଭର ଲିଫଟ୍‌ ପ୍ରକଳ୍ପ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ସାର, କୀଟନାଶକ ଓ ନଳକୂପ, ଡିଜେଲ୍‌ ପମ୍ପସେଟ୍‌ ବିକି୍ର ସହିତ ନିଗମ ପକ୍ଷରୁ ଗୋଖାଦ୍ୟ ଉତ୍ପାଦନ ଓ ବିକି୍ରର ମଧ୍ୟ ବ୍ୟବସ୍ଥା ରହିଛି ।

ଏଥି ସହିତ ଓଡ଼ିଶା କୃଷି ଶିଳ୍ପ ନିଗମ ରାଜ୍ୟ ସରକାରଙ୍କୁ ନିୟମିତ ଲାଭାଂଶ ପ୍ରଦାନ କରିଆସୁଛି । ନିଗମ ପକ୍ଷରୁ ୨୦୧୮ ମସିହାରେ ୬ କୋଟି ୨୦ ଲକ୍ଷ ୭୩ ହଜାର ଟଙ୍କା, ୨୦୨୨ ମସିହାରେ ୨ କୋଟି ୫୨ ଲକ୍ଷ ୧୭ ହଜାର ଟଙ୍କା ଏବଂ ୩ କୋଟି ୧୦ ଲକ୍ଷ ୩୬ ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ପ୍ରଦାନ କରାଯାଇଛି । ଏଥି ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଆସୁଛି । ଉଦଘାଟନୀ ଉତ୍ସବରେ ନିଗମର ବରିଷ୍ଠ ଅଧିକାରୀ ଓ ତାଲିମ ପାଇବାକୁ ଥିବା ଯୁବକ ଯୁବତୀ ମାନେ ଯୋଗଦେଇଥିଲେ ।

Comments are closed, but trackbacks and pingbacks are open.