ରାଜ୍ୟ ପୁସ୍ତକ ମହୋତ୍ସବରେ ମନ କିଣୁଛି ଲାଇଭ୍ ସ୍କେଚିଙ୍ଗ

110

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ସରିବାକୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ, ପ୍ରଦର୍ଶନୀ ପଡ଼ିଆରେ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଏକ ଲାଇଭ୍ ସ୍କେଚିଙ୍ଗ କାଉଣ୍ଟର ନିର୍ମାଣ କରାଯାଇଛି, ଯେଉଁଠାରେ ପାଠକମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳୁଛି। ପ୍ରତିଦିନ ସନ୍ଧ୍ୟାରେ ମହାବିଦ୍ୟାଳୟର ୮ଜଣ ଛାତ୍ର ଏଠାରେ ରହି ପାଠକମାନଙ୍କର ଲାଇଭ ସ୍କେଚିଙ୍ଗ କରୁଛନ୍ତି ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଟି ପେନସିଲ ସ୍କେଚିଙ୍ଗ ପାଇଁ ୩୫୦ ଟଙ୍କା ଏବଂ ତୂଳୀରଙ୍ଗ ସ୍କେଚିଙ୍ଗ ଚିତ୍ରକଳା ପାଇଁ ୪୫୦ ଟଙ୍କା ମୂଲ୍ୟ ରହିଛି। ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଚିତ୍ରକଳା ବିଭାଗରେ ଅଧ୍ୟୟନରତ ଛାତ୍ର ଶଶୀକାନ୍ତ କହିଛନ୍ତି ଯେ, “ପୁସ୍ତକ ମହୋତ୍ସବରେ ଲାଇଭ ସ୍କେଚିଙ୍ଗ କରିବାର ସୁଯୋଗ ମିଳିବା ଆମ ପାଇଁ ଆନନ୍ଦର ବିଷୟ। ଏହାଦ୍ୱାରା ଆମ ଦକ୍ଷତା ଓ କଳା ନୈପୁଣ୍ୟତାର ବିକାଶ ହେବା ସହ ଲୋକମାନଙ୍କ ସହ ମିଶିବା ଏବଂ ତାଙ୍କର ଚିତ୍ରକଳା ପ୍ରତି ରହିଥିବା ଆଗ୍ରହ ସମ୍ବନ୍ଧରେ ଜାଣିବାର ସୁଯୋଗ ମିଳୁଛି ଯାହାକି ଆମ ଅଭିଜ୍ଞତାକୁ ପରିପୁଷ୍ଟ କରୁଛି। ବିଗତ ଦିନରେ ଭାରତୀୟ ରୋଡ଼ କଂଗ୍ରେସରେ ମଧ୍ୟ ଆମେ ଦର୍ଶକମାନଙ୍କର ଲାଇଭ ସ୍କେଚିଙ୍ଗ କରିଥିଲୁ। ଆଗାମୀ ଦିନରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ନିମନ୍ତେ ଆଶା ରଖିଛୁ।”

Comments are closed, but trackbacks and pingbacks are open.