କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

28

ଭୁବନେଶ୍ୱର,୩୦ ।୧: ରଗ୍‍ବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗ୍‍ବୀ ଇଣ୍ଡିଆର ପ୍ରାୟୋଜକ ହୋଇପାରିଛି। ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ପୁନର୍ବାର ଆଗାମୀ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଭାରତୀୟ ରଗ୍‍ବୀର ପ୍ରାୟୋଜକ ହେବ ବୋଲି ଚୁକ୍ତି ସ୍ୱାକ୍ଷର ହେଲା। ରାଜ୍ୟ ସରକାର ଭାରତୀୟ ରଗ୍‍ବୀର ମୁଖ୍ୟ ପ୍ରାୟୋଜକ ରହିଥିବା ବେଳେ ଆସନ୍ତା ୩ବର୍ଷ ସକାଶେ କିଟ୍‍ ଓ କିସ୍‍ ସହ-ପ୍ରାୟୋଜକ ରହିବେ। ଏହି ବୁଝାମଣାପତ୍ରରେ କିଟ୍‍ ଓ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ଭାରତୀୟ ରଗ୍‍ବୀ ସଂଘ ପକ୍ଷରୁ ଏହାର ସଭାପତି ରାହୁଲ୍‍ ବୋଷ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ଅନୁଯାୟୀ ଭାରତୀୟ ରଗ୍‍ବୀ ସଂଘ ପକ୍ଷରୁ ସମସ୍ତ ପ୍ରକାର ଜାତୀୟ ଓ ଅନ୍ତର୍ଜାତୀୟ ରଗ୍‍ବୀ ପ୍ରତିଯୋଗିତା, ତାଲିମ ଏବଂ ଚୟନ ଶିବିର ନିମନ୍ତେ କିଟ୍‍ ଓ କିସ୍‍ ତାର ସମସ୍ତ ଭିତ୍ତିଭୂମି ଯୋଗାଇଦେବ। ଏହା ଛଡ଼ା କିଟ୍‍ କ୍ୟାମ୍ପସରେ ଖେଳାଳି, କୋଚ୍‍ ଓ ଅଫିସିଆଲ୍‍ଙ୍କ ରହିବା, ଖାଇବା ବ୍ୟବସ୍ଥା ସହ ଲଜିଷ୍ଟିକ୍‍ ସହଯୋଗ ଯୋଗାଇ ଦିଆଯିବ। ୨୦୦୪ରୁ କିସ୍‍ ରଗ୍‍ବୀକୁ ପ୍ରୋତ୍ସାହିତ କରିଆସୁଛି। ଫଳରେ ଆଜି ରଗ୍‍ବୀ ସମଗ୍ର ଦେଶରେ ପରିଚିତି ଲାଭ କରିଛି। ସେଥିରେ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ବୁଝାମଣା ସ୍ୱାକ୍ଷର ସମୟରେ ଭାରତୀୟ ରଗ୍‍ବୀ ୧୫-ଏସ୍‍ ଦଳର କୋଚ ଓ ଚୟନକର୍ତ୍ତା ନାସ ବୋଥା, କିଆନୋ ଫୁରୀ ଓ ଆଣ୍ଡ୍ରେ ଭେଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.