ଧୋନି ଙ୍କ ପ୍ରଶିକ୍ଷଣରେ ସୁପର କିଙ୍ଗସ ପାଇଁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି

28

ଚଳିତ ଥର IPL-2022 ଚେନ୍ନାଇ ସୁପରକିଙ୍ଗସରେ ଖେଳିବାକୁ ଯାଉଛନ୍ତି ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି । ଚେନ୍ନାଇ ସୁପରକିଙ୍ଗସ ର ନେତୃତ୍ୱ ନେଉଛନ୍ତି ମହେନ୍ଦ୍ର ସିଂ ଧୋନି । ଆଇପିଏଲ ୨୦୨୨ ପାଇଁ ଶୁଭ୍ରାଂଶୁ ସେନାପତି ଙ୍କୁ ପ୍ରଶିକ୍ଷଣ ଦେଇ ପଡିଆକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ କରାଉଛନ୍ତି ଧୋନି I ତେଣୁ ସିଏସକେ ଟିମ ରେ ଶୁଭ୍ରାଂଶୁ ଙ୍କୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି I ଚେନ୍ନାଇ ସୁପର କିଙ୍ଗସ୍ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଶୁଭ୍ରାଂଶୁଙ୍କ ଏକ ଭିଡିଓ ସେଆର୍ କରି ସେ ସୁପର କିଙ୍ଗସରେ ଗର୍ଜିବାକୁ ପ୍ରସ୍ତୁତ ବୋଲି ଲେଖିଛି ।
ଏହି ଭିଡିଓରେ ଚେନ୍ନାଇ ସୁପର କିଙ୍ଗସ୍ ଦଳର ଅଭ୍ୟାସ ସମୟର କିଛି ଦୃଶ୍ୟକୁ ଦେଖାଯାଇଛି । ଯେଉଁଥିରେ ପ୍ରଥମେ ଶୁଭ୍ରାଂଶୁ ନିଜର ପରିଚୟ ଦେବା ସହିତ, ନିଜକୁ ଜଣେ ଓଡିଆ କ୍ରିକେଟର ବୋଲି ପରିଚିତ କରୁଛନ୍ତି । ବାସ୍ , ଏହାପରେ ମାହିଙ୍କୁ ଦେଖି ସେ ତାଙ୍କର ଅଭ୍ୟାସ କେମିତି ଚଳାଇଛନ୍ତି ତାହା ସେହି ଭିଡିଓରେ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ, ଧୋନୀ ନେଟସରେ ଅଭ୍ୟାସ କରୁଥିବାବେଳେ, ଶୁଭ୍ରାଂଶୁ ତାଙ୍କୁ ପଛରେ ରହି କେମିତି ଅନୁଶୀଳନ କରୁଛନ୍ତି ତାହା ମଧ୍ୟ ସେହି ଭିଡିଓରେ ଦେଖିବାକୁ ମିଳୁଛି ।
ଏଥର ଆଇପିଏଲ୍ ଖେଳାଳି ନିଲାମରେ ଓଡିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ କିଣିଥିଲା ମାହିଙ୍କ ନେତୃତ୍ୱାଧୀନ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ । ସିଏସକେ ଟିମରେ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିବା ପରେ ସବୁଆଡୁ ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଓଡିଶା କ୍ରିକେଟ୍ ଆସୋସିଏସନ୍ ମଧ୍ୟ ଶୁଭ୍ରାଂଶୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲା ।
ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଆଉ ଚାରି ଥର ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗସ ଏଥର ପୁଣିଥରେ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି । ଦଳରେ ଏକାଧିକ ଯୁବ ଖେଳାଳି ରହିଥିବାବେଳେ, ଅଭିଜ୍ଞ ଖେଳାଳିଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଅନ୍ୟପଟେ ଏଥର ଚୂଡାନ୍ତ ଏକାଦଶରେ ଶୁଭ୍ରାଂଶୁ ସେନାପତିଙ୍କୁ ସୁଯୋଗ ମିଳିବା ଆଶା ମଧ୍ୟ ଅଧିକ ଅଛି ।

Comments are closed, but trackbacks and pingbacks are open.