ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମହିଳା କମିଶନ

320

ଭୁବନେଶ୍ବର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି।

ତେଣେ ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ହଟାଇବା ଭିତରେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ଆଜି ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାବେଳେ ଏଭଳି ତଥ୍ୟ ପୁଲିସ ପାଇଛି। ସେ କହିଥିଲେ ଯେ, ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍‌ର ମୁଖ୍ୟ କାର୍ପୋଟଦାର। ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି, ସେମାନେ ବାର୍‌କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି। ଗ୍ରାହକମାନେ ବାରଗାର୍ଲଙ୍କ ଉପରେ ଯେଉଁ ଟଙ୍କା ଉଡ଼ାନ୍ତି, ତାହା ବାରଗାର୍ଲଙ୍କୁ ମିଳେନି। ତାହା ବାର୍‌ ମାଲିକ ଓ ଦଲାଲଙ୍କ ଭିତରେ ବାଣ୍ଟ ହୁଏ। ଶୁଭଲକ୍ଷ୍ମୀ ଏହିଭଳି କିଛି ଦଲାଲଙ୍କ ଜାଲରେ ଫସିଯାଇଥିଲେ ବୋଲି ତାଙ୍କୁ ଜଣାଇଥିଲେ।

ଆଉ ଲିଟୁ ହିଁ ଶୁଭଲକ୍ଷ୍ମୀଙ୍କୁ ବାର୍‌ରେ ନିୟୋଜିତ କରିଥିଲେ। ଶୁଭଲକ୍ଷ୍ମୀଙ୍କ ସମସ୍ୟା ବିଷୟରେ ଜାଣିବା ପରେ, ଆଉ ବାର୍‌ରେ କାମ ନକରି ମଡେଲିଂ ବା ଅନ୍ୟକିଛି କରି ରୋଜଗାର କରିବା ପାଇଁ ଅନୀଲ ତାଙ୍କୁ ପରାମର୍ଶ ଦେଇଥିଲେ। ଶୁଭଲକ୍ଷ୍ମୀ ବି ଧୀରେ ଧୀରେ ବାର୍‌ରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ସେ ବାରଗାର୍ଲ କାମ ଛାଡ଼ି ଅନ୍ୟକିଛି ଯୋଜନା କରୁଥିବା ଜାଣିବା ପରେ ଦଲାଲ୍‌ମାନେ ତାଙ୍କୁ ତାଙ୍କୁ ବ୍ଲାକମେଲ କରିଥିଲେ। ସେମାନଙ୍କ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୀଲ କହିଛନ୍ତି। ଏଭଳି ତଥ୍ୟ ହାତେଇବା ପରେ ପୁଲିସ ଲିଟୁଙ୍କୁ ଡ଼ାକି ଜେରା କରିବାକୁ ଯୋଜନା କରିଛି। କାରଣ ଏହା ଭିତରେ ଲକ୍ଷ୍ମୀସାଗର ଥାନା ପୁଲିସ ହାତରେ ଶୁଭଲକ୍ଷ୍ମୀଙ୍କର ଗତ ଦୁଇମାସର ସିଡିଆର୍‌ ରି‌ପୋର୍ଟ (ମୋବାଇଲ୍‌ କଲ୍‌ ଇତିହାସ) ତଥ୍ୟ ଲାଗିଛି। ସେଥିରେ ଏକାଧିକ ନମ୍ବର ସନ୍ଦେହ ଘେରରେ ଥିବାବେଳେ ଲିଟୁଙ୍କ କଲ୍‌ ମଧ୍ୟ ରହିଛି। ତେଣୁ ଲିଟୁଙ୍କୁ ପୁଲିସ ଜେରା କରିବ ବୋଲି ଜଣାପଡ଼ିଛି।

Comments are closed, but trackbacks and pingbacks are open.