ପୁଣି ବିଜେଡିକୁ ଶ୍ରୀମୟୀ ମିଶ୍ରଙ୍କ ତେରେଛା ତୀର

2,542

ଭୁବନେଶ୍ୱର: ଆଜି ପୁଣି ପାଣ୍ଡିଆନଙ୍କୁ ଘେରିଲେ ଶ୍ରୀମୟୀ। ପୁଣି ବିଜେଡିକୁ ସୋସିଆଲ୍‌ ମିଡିଆରେ ଶ୍ରୀମୟୀଙ୍କ ନିଶାନା। କବିତାରେ ପାଣ୍ଡିଆନଙ୍କୁ ତେରେଚ୍ଛା ‘ଅଠା’ ଆକ୍ରମଣ କରିଛନ୍ତି। ଅନ୍ୟ ମୁଣ୍ଡରେ ଅଠା ବୋଳା, ଏହା ହେଉଛି ତାମିଲ୍ ଖେଳ… କହି ପୁଣି ଘେରିଛନ୍ତି ଶ୍ରୀମୟୀ। ଗତକାଲି ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଥିଲେ । ଆଉ ଆଜି ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ଶ୍ରୀମୟୀଙ୍କ ଏହି ପୋଷ୍ଟ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି।
ଶ୍ରୀମୟୀ ପୋଷ୍ଟରେ କହିଛନ୍ତି ଯେ, “ଅନ୍ୟ ମୁଣ୍ଡରେ ଅଠା ବୋଳ ଏହା ହେଉଛି ତାମିଲ ଖେଳ। ଅନାମ ବାବୁଙ୍କ ମୁହଁରେ କୁହାଇ ପୁରୁଖାଙ୍କୁ ଦେଉଛି ସେ ଫସାଇ। ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ, ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ। ଧମକ ଦେଲେଣି ପାଲତୁ ବାବୁ, ମୁଣ୍ଡପୋତି ସହୁଛନ୍ତି ବରିଷ୍ଠ ସବୁ, ଧନ୍ୟରେ ଆମ ବିଜୁ ପ୍ରେମୀ, ହୋଇଗଲେ ସବୁ ଭଣ୍ଡ ଅନୁଗାମୀ”। ଖାଲି ଆଜି ନୁହେଁ ଲଗାତାର କିଛି ମାସ ଧରି ଶ୍ରୀମୟୀଙ୍କ ଟାର୍ଗେଟରେ ବିଜେଡି ଓ ପାଣ୍ଡିଆନ ରହିଥିବା ବେଳେ ସେ ସବୁବେଳେ କିଛି ନା କିଛି ପୋଷ୍ଟ କରୁଛନ୍ତି। ଏହା ପୂର୍ବରୁ ଶ୍ରୀମୟୀଙ୍କ ଅନେକ ପୋଷ୍ଟ ଭାଇରାଲ୍ ହୋଇଛି। ପ୍ରଥମ ଧୃତରାଷ୍ଟ୍ର ଆଉ ଭଣ୍ଡ ସନ୍ନ୍ୟାସୀ ପୋଷ୍ଟ ଆଉ ତା ପରେ ପରେ ନୂଆପଡ଼ା ପରାଜୟ ପଛର କାରଣକୁ ନେଇ ବିଜେଡିକୁ ସବୁବେଳେ ସିଧା ନିଶାନା କରିଛନ୍ତି ଶ୍ରୀମୟୀ। ଶ୍ରୀମୟୀ ମିଶ୍ର ଦଳରୁ ନିଲମ୍ବିତ ହେବା ପରେ ଅନେକ ଥର ଦଳର କାର୍ଯ୍ୟପନ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ବିଜେଡ଼ି କିଭଳି ତାମିଲ ବାବୁଙ୍କ ଇଙ୍ଗିତରେ ପରିଚାଳିତ ହେଉଛି, ତାହାକୁ ଲୋକ ଲୋଚନକୁ ଆଣିବାକୁ ଅନେକ ପ୍ରୟାସ କରୁଛନ୍ତି। ଆଉ ଏହାରି ଭିତରେ ଆଜି ତାଙ୍କ ଏହି ନୂଆ ପୋଷ୍ଟ ପୁଣିଥରେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

Comments are closed, but trackbacks and pingbacks are open.