ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

2,034

ପୁରୀ: ଶ୍ରୀକ୍ଷେତ୍ର ଐତିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ । ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାପରେ ୩ ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ।

ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି। ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି । ଏହା ପୂର୍ବରୁ ଦିନ ୧୨ ଟା ରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରି ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିଥିଲେ ।

ପରେ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଏବଂ ଅତିଥିମାନଙ୍କୁ ଉଭୟ ଗଜପତି ମହାରାଜ ଏବଂ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସମଗ୍ର ପୁରୀ ସହର ନବବଧୁ ବେଶରେ ସଜେଇ ହୋଇଛି । ମହାଯଜ୍ଞର ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ଶଙ୍ଖକ୍ଷେତ୍ର । କାନ୍ଥବାଡରେ ଅଙ୍କା ଯାଇଥିବା ଚିତ୍ର ଐତିହାସିକ ଗାଥାକୁ ପୁଣିଥରେ ଉଜ୍ଜୀବିତ କରିଛି ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ପୁରୀ ବାସୀଙ୍କ ସମେତ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଭକ୍ତି ଭାବନା ଓ ଆଧ୍ୟାତ୍ମିକତାରେ ସାରା ସହର ଏବେ ଝୁମୁଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Comments are closed, but trackbacks and pingbacks are open.