ପୁରୀ: ଦିନରେ ଯେପରି ଭବ୍ୟ ଓ ଦୃଶ୍ୟମାନ ହୁଏ, ସେହିଭଳି ରାତିରେ ମଧ୍ୟ ମନ୍ଦିରକୁ ଆଲୋକରେ ଝଲମଲ କରାଇବା ପାଇଁ ଆରମ୍ଭ ହେଉଛି ବୃହତ୍ ଆଲୋକୀକରଣ ପ୍ରକଳ୍ପ। ଏଥିପାଇଁ ପ୍ରାୟ ୧୭ ରୁ ୧୮ କୋଟି ଟଙ୍କାର ବ୍ୟୟ ଅନୁମାନ କରାଯାଇଛି। ଆଲୋକୀକରଣ ପ୍ରକଳ୍ପ ପାଇଁ ଏକ ବ୍ୟାପକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି, ଏବଂ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ଆଲୋକୀକରଣ ଯୋଜନା ଅନୁସାରେ ଶ୍ରୀମନ୍ଦିରର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପ ସହିତ ଭିତର ବେଢାରେ ଥିବା ସମସ୍ତ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରକୁ ସୁନ୍ଦର ଭାବେ ଆଲୋକୀତ କରାଯିବ। ମା ଲକ୍ଷ୍ମୀ, ବିମଳାଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଉପମନ୍ଦିରମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବେ। ସେଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏଏସଆଇ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପରେ ମନ୍ଦିରର ଚାରିଟି ଦ୍ୱାର, ମେଘନାଦ ପାଚେରି, କୁରୁମବେଢା, ଆନନ୍ଦ ବଜାର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଆଲୋକରେ ଉଜ୍ଜ୍ୱଳ କରାଯିବ। ଆଲୋକ ବ୍ୟବସ୍ଥାକୁ ଆଧୁନିକ ଓ ସୁରକ୍ଷିତ ଭାବେ ସ୍ଥାପନ କରାଯିବା ସହିତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ଶୀଘ୍ର ଟେଣ୍ଡର ଡକାଯିବ। ଏହି ଆଲୋକୀକରଣ ପରେ ଶ୍ରୀମନ୍ଦିର ରାତିରେ ମଧ୍ୟ ଦିନଭଳି ଦେଖାଯିବ, ଯାହା ପୁରୀକୁ ଆସୁଥିବା ଲକ୍ଷୋଧିକ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ଆକର୍ଷଣ ହେବ। ଏହା ପର୍ଯ୍ୟଟନକୁ ମଧ୍ୟ ନୂଆ ଗତି ଦେବାକୁ ସମ୍ଭାବନା ରହିଛି। ପ୍ରଶାସନ ତରଫରୁ କୁହାଯାଇଛି, ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଏହି ଆଲୋକୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ଧରାଯାଇଛି।
Comments are closed, but trackbacks and pingbacks are open.