ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ପ୍ୟାଟେଣ୍ଟ ହେବ ମହାପ୍ରଭୁଙ୍କ ସମ୍ପର୍କିତ ଶବ୍ଦାବଳୀ

110

ଭୁବନେଶ୍ବର: ପୁରୀ ଶ୍ରୀକ୍ଷେତ୍ର, ଜଗନ୍ନାଥ ଧାମ ସମେତ ମହାପ୍ରଭୁଙ୍କ ସହ ଯୋଡ଼ିହୋଇ ରହିଥିବା ସବୁ ଶବ୍ଦାବଳୀକୁ ପ୍ୟାଟେଣ୍ଟ କରାଯିବା ନେଇ ପଦକ୍ଷେପ ନିଆଯିବ। ଏହାଦ୍ୱାରା ଆଗାମୀ ଦିନରେ ଏହି ଶବ୍ଦର ଅପବ୍ୟବହାର ହୋଇପାରିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ରୀତିନୀତି ସହିତ ଜଡ଼ିତ ଶବ୍ଦଗୁଡ଼ିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀ ପାଢ଼ୀ ଏହା କହିଛନ୍ତି। ଉକ୍ତ ବୈଠକରେ ରଥଯାତ୍ରା ନେଇ ଛତିଶା ନିଯୋଗରେ ଅନୁମୋଦିତ ନୀତି ନିର୍ଘଣ୍ଟକୁ ମଞ୍ଜୁରୀ ମିଳିଛି। ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଆଗାମୀ ସ୍ନାନ ଏବଂ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି, ଶୃଙ୍ଖଳିତ ପହଣ୍ଡି ବ୍ୟବସ୍ଥାବଳୀ କିଭଳି ସୁରୁଖୁରୁରେ ଆୟୋଜନ ହୋଇପାରିବ ସେନେଇଆଲୋଚନା ହୋଇଥିଲା। ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତାକୁ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି। ସେମାନେ ନିଜସ୍ୱ ଢ଼ଙ୍ଗରେ ଘର ନିର୍ମାଣ କରୁଛନ୍ତି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ମଧ୍ୟ ବଡ଼ବଡ଼ କୋଠାଘର ନିର୍ମାଣ ହେଉଛି। ବଡ଼ବଡ଼ କୋଠା ନିର୍ମାଣ ଏକ ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର। ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ। ତଥା ଅଟ୍ଟାଳିକା ଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଚିଠି ଲେଖିବୁ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଗତବର୍ଷ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିବା ଅଘଟଣର ତଦନ୍ତ ନେଇ ତିନି ଜଣିଆ କମିଟି ଗଠନ ହୋଇଥିଲା। ଏନେଇ ବୈଠକରେ କମିଟି ଆଜି ରିପୋର୍ଟ ପ୍ରଦାନ କରିଥିଲା। ତେଣୁ ଚଳିତ ବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡିକୁ ଗୁରୁତ୍ୱ ଦିଆଯିବ। ଚଳିତ ବର୍ଷ ଘୋଷଯାତ୍ରାରେ ଯଦି କୌଣସି ଅଣସେବାୟତ ରଥ ଉପରେ ଚଢ଼ିବେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେ ନାହିଁ। ତଥା କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏପରିକି ରଥ ଉପରକୁ ମୋବାଇଲ ନେବାକୁ ମଧ୍ୟ ବାରଣ କରାଯାଇଛି। ଏଣିକି କେବଳ ମୋବାଇଲ୍ ସିଜ ନୁହେଁ, ଫୌଜଦାରୀ ମାମଲା ରୁଜୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed, but trackbacks and pingbacks are open.