ନୂଆଦିଲ୍ଲୀ: ବିଶ୍ଵ ମଞ୍ଚରେ ଭାରତର ସାଂସ୍କୃତିକ ଏବଂ ଦାର୍ଶନିକ ଐତିହ୍ୟ ଏକ ବଡ଼ ମାନ୍ୟତା ହାସଲ କରିଛି। ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ଦ୍ୱାରା ଲିଖିତ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ‘ମେମୋରୀ ଅଫ୍ ୱାର୍ଲ୍ଡ ରେଜିଷ୍ଟର’ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଘୋଷଣା ସହିତ ଭାରତର ୧୪ ଅମୂଲ୍ୟ କଳାକୃତି ବର୍ତ୍ତମାନ ଏହି ଅନ୍ତର୍ଜାତୀୟ ତାଲିକାର ଏକ ଅଂଶ ହୋଇପାରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ଏହାକୁ ଭାରତର ସାଂସ୍କୃତିକ ଚେତନା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ଶେଖୱାତ ଲେଖିଛନ୍ତି ଯେ “ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ନାଟ୍ୟଶାସ୍ତ୍ର କେବଳ ଶାସ୍ତ୍ର ନୁହେଁ, ବରଂ ଭାରତର ଚିନ୍ତାଧାରା, ଜୀବନ ଦୃଷ୍ଟିକୋଣ ଏବଂ କଳାତ୍ମକ ଅଭିବ୍ୟକ୍ତିର ମୂଳ ସ୍ତମ୍ଭ ଅଟେ। ଏହି ଗ୍ରନ୍ଥଗୁଡ଼ିକ କେବଳ ଭାରତକୁ ନିର୍ଦ୍ଦେଶ ଦେଇନାହିଁ, ବରଂ ବିଶ୍ଵକୁ ମଧ୍ୟ ଆତ୍ମା ଏବଂ ସୌନ୍ଦର୍ଯ୍ୟର ଏକ ନୂତନ ଦର୍ଶନ ଦେଇଛି।” ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, “ୟୁନେସ୍କୋର ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟଶାସ୍ତ୍ରର ଅନ୍ତର୍ଭୁକ୍ତ ହେବା ଆମର ଅନନ୍ତ ଜ୍ଞାନ ଏବଂ ସାଂସ୍କୃତିକ ଗୌରବର ବିଶ୍ୱସ୍ତରୀୟ ସ୍ୱୀକୃତି। ଶତାବ୍ଦୀ ଧରି ଏହି ଲେଖା ମାନବ ଚେତନା ତଥା ସଭ୍ୟତାକୁ ଦିଗ ଦେଇଛି ଏବଂ ଆଜି ମଧ୍ୟ ସେଗୁଡିକର ଶିକ୍ଷା ବିଶ୍ଵକୁ ପ୍ରେରଣା ଯୋଗାଉଛି।”
Comments are closed, but trackbacks and pingbacks are open.