ଶ୍ରୀମନ୍ଦିରପରିକ୍ରମା ପ୍ରକଳ୍ପ : ସମସ୍ତ ମାମଲାର ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ, ଆଉ ଶୁଣାଣିର ଆବଶ୍ୟକତା ନାହିଁ

19

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲା ରେ ପୂର୍ଣ୍ଣଛେଦ ଟାଣିଲେ ମାନ୍ୟବର ହାଇକୋର୍ଟ । ଦାୟର ଜନସ୍ବାର୍ଥ ମାମଲା ସହ ସମସ୍ତ ଇଣ୍ଟଭେନିଙ୍ଗ ପିଟିସନ ଗୁଡ଼ିକୁ ବି ଖାରଜ କଲେ ହାଇକୋର୍ଟ। ପୂର୍ବରୁ ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇ ସାରିଛି। ତେଣୁ ଆଉ ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

ସୁପ୍ରିମକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ମଧ୍ୟ ଏହା କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଆବେଦନକୁ ଜନସ୍ବାର୍ଥ ମାମଲା କୁହାଯାଇ ପାରିବନାହିଁ । ତେଣୁ ମୂଳ ମାମଲା ସହିତ ଅନ୍ୟ ସମସ୍ତ ବିଚାରାଧୀନ ମାମଲାଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି । ଯେହେତୁ ପୂର୍ବରୁ ସୁପ୍ରିମକୋର୍ଟ ମାମଲାକୁ ରଦ୍ଦ କରିସାରିଛନ୍ତି, ତେଣୁ ଆଉ ଶୁଣାଣି କରିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।

ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ପୁରୀର ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ମୂଳ ମାମଲା ରୁଜୁ ହୋଇଥିବା ବେଳେ ଏହା ଉପରେ ଦୁଇଟି ଇଣ୍ଟରଭେନିଙ୍ଗ ମାମଲା ମଧ୍ୟ ଦାୟର ହୋଇଥିଲା। ପରେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ମଧ୍ୟ ଏକାଧିକ ଆବେଦନ ହୋଇଥିଲା । ତେବେ ମାମଲାଗୁଡ଼ିକ ହାଇକୋର୍ଟରେ ବିଚାରାଧୀନ ଥିବା ଅବସ୍ଥାରେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଆଉ ଦୁଇଟି ମାମଲା ଦାୟର ହୋଇଥିଲା । ଯାହାକୁ ନିକଟରେ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଏହା ସହିତ ଅବସରପ୍ରାପ୍ତ ଆଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଅନ୍ୟ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଜୁନ ୩ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଏହା ଜନସ୍ୱାର୍ଥ ମାମଲା ନୁହେଁ ବୋଲି କହିବା ସହିତ ଦୁଇ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ଦେଇଥିଲେ।

Comments are closed, but trackbacks and pingbacks are open.