ବାଙ୍କଚୂଡ ବେଶରେ ଶ୍ରୀଜୀଉ ; ଏହି ଦର୍ଶନରେ ମିଳେ ଶୁଭଫଳ

55

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି  । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ  ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ  ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  । ଆଜି ରାତି ୩ଟା ୪୫ରେ  ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ  ଠାକୁରଙ୍କୁ ବାଙ୍କଚୂଡ ବେଶରେ ସଜ୍ଜିତ କରାଯିବ ।

ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ  । ଆସନ୍ତାକାଲି ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ , ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ  ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ  ।  ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ  । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍ ର ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ ରୁ ଉର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

Comments are closed, but trackbacks and pingbacks are open.