ହାଇକୋର୍ଟରେ ବିଚାରପତି ସଙ୍କଟ, ଆଇନଜୀବୀଙ୍କ ବିକ୍ଷୋଭ

23

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆଇନଜୀବୀମାନେ। ମଞ୍ଜୁରିପ୍ରାପ୍ତ ୩୩ଟି ବିଚାରପତି ପଦବୀ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଥିବାବେଳେ ଆଗାମୀ ନଭେମ୍ବରରେ ଆଉ ୨ ଜଣ ବିଚାରପତି ଅବସର ନେବାକୁ ଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି। ବିଚାରପତିଙ୍କ ଅଭାବ ଯୋଗୁଁ ମାମଲାଗୁଡ଼ିକର ଶୁଣାଣି ଓ ଫଇସଲା ପ୍ରକ୍ରିୟା ପ୍ରଭାବିତ ହେଉଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଓ ବିକ୍ଷୋଭ କରାଯାଇଛି। ଭୁବନେଶ୍ୱର କ୍ଲବ୍‌ଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ଆଇନଜୀବୀମାନେ ପଦଯାତ୍ରା କରି ହାଇକୋର୍ଟରେ ଖାଲି ପଡ଼ିଥିବା ସମସ୍ତ ବିଚାରପତି ପଦବୀ ତୁରନ୍ତ ପୂରଣ କରିବାକୁ ଦାବି ଜଣାଇଛନ୍ତି। ପଦଯାତ୍ରା ପରେ ଆଇନଜୀବୀମାନେ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ହାଇକୋର୍ଟରେ ଖାଲି ଥିବା ସମସ୍ତ ପଦବୀ ଶୀଘ୍ର ପୂରଣ କରିବା ସହ ସୁପ୍ରିମକୋର୍ଟ କଲେଜିୟମ୍‌ର ସୁପାରିଶ ଉପରେ ଆଇନ ମନ୍ତ୍ରଣାଳୟ ତ୍ୱରିତ ନିଷ୍ପତ୍ତି ନେବାକୁ ଦାବି କରାଯାଇଛି। ବାର୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ବର୍ତ୍ତମାନ ୧.୭ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏପରି ସ୍ଥିତିରେ ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ପଦବୀର ଅଧାରୁ ଅଧିକ ଖାଲି ରହିବା ନ୍ୟାୟ ପ୍ରଦାନ ବ୍ୟବସ୍ଥା ପାଇଁ ଚିନ୍ତାର ବିଷୟ ବୋଲି ଆଇନଜୀବୀମାନେ କହିଛନ୍ତି। ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ତୁରନ୍ତ ନିଯୁକ୍ତି କରାଯାଇ ମାମଲା ଫଇସଲା ପ୍ରକ୍ରିୟାକୁ ଗତି ଦେବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆଇନଜୀବୀମାନେ ଦାବି କରିଛନ୍ତି।
 

Comments are closed, but trackbacks and pingbacks are open.